ରାନୁଙ୍କୁ ସହିପାରୁନାହାନ୍ତି ଲତା ମଙ୍ଗେସକର: ସୋସିଆଲ୍‌ ମିଡିଆରେ ଚର୍ଚ୍ଚା

ଦିଲ୍ଲୀରୁ ପଲ୍ଲୀ। ସବୁଠି ଏବେ ରାନୁ ମଣ୍ଡଳଙ୍କ ସୁମଧୁର କଣ୍ଠସ୍ବରର ଚର୍ଚ୍ଚା। ଭାଗ୍ୟ କିଭଳି ମଣିଷକୁ ରାସ୍ତାରୁ ନେଇ ସିଂହାସନରେ ବସାଇଦିଏ ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ। ଦିନେ ପେଟ ପୋଷିବାପାଇଁ ରେଳ ଷ୍ଟେଶନରେ ବସି ଗୀତ ଗାଉଥିବା ରାନୁ ଆଜି ବଲିଉଡରେ ଗାଉଛନ୍ତି। କିଛିଦିନ ତଳେ ଷ୍ଟେଶନରେ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର୍‌ କା ନଗମା’ ଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁ। ସେ ଗାଇଥିବା ଗୀତର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା। ରାନୁଙ୍କ କଣ୍ଠରୁ ଏହି ଗୀତ ଶୁଣି ଚାରିଆଡେ ତାଙ୍କର ପ୍ରଶଂସା କରାଯାଇଥିଲା। ଲୋକେ ତାଙ୍କୁ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଦ୍ବିତୀୟ ଲତା ଦିଦି ମିଳିଗଲେ ବୋଲି କହିଥିଲେ। ଦୁଇ ଦିନ ତଳେ ରାନୁ ମଣ୍ଡଳଙ୍କୁ ପରାମର୍ଶ ଦେଇ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ‘ନିଜ ସ୍ବରରେ’ ଗାଇବାକୁ କହିଥିଲେ। ତେବେ ଲତାଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଉପରେ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏତେ ବଡ ସୁପରଷ୍ଟାରଙ୍କ କିନ୍ତୁ ଏତେ କଠୋର ବ୍ୟବହାର ଶୋଭା ପାଉନି ବୋଲି ଜଣେ ୟୁଜର୍ସ ଲେଖିଛନ୍ତି। ଆଉ ଜଣେ ଲେଖିଛନ୍ତି, ‘ଜଣେ ଗରିବ ମହିଳା ରେଳ ଷ୍ଟେଶନରେ ଭିକ ମାଗି ପେଟ ପୋଷୁଥିଲେ। ଏବେ ତାଙ୍କ ସ୍ବର ଚାରିଆଡେ ପ୍ରଶଂସିତ ହେଉଛି। ଲତାଜୀ ତାଙ୍କୁ ପ୍ରଶଂସା କିମ୍ବା ସାହାଯ୍ୟ ବଦଳରେ ଏଭଳି କଠୋର ବ୍ୟବହାର କରୁଛନ୍ତି ତାହା ଆଦୌ ଶୋଭନୀୟ ନୁହେଁ। ଆଉ ଜଣେ ୟୁଜର୍ସ କହିଛନ୍ତି, ଆପଣ ରାନୁଙ୍କୁ ସହି ପାରୁନାହାନ୍ତି।
ସୂଚନାଯୋଗ୍ୟ, ଲତା ମଙ୍ଗେସକର ରାନୁଙ୍କ ଉପରେ ମତ ଦେଇ କହିଥିଲେ ଯେ, ଯଦି ମୋ ନାଁ ଓ କାମକୁ ନେଇ କାହାର କିଛି ଭଲ ହୋଇପାରୁଛି, ତେବେ ସେଥିପାଇଁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରିବି। କିନ୍ତୁ ସଫଳତା ପାଇବା ପାଇଁ ଜଣକୁ ଅନୁକରଣ କରିବା ଠିକ୍‌ ନୁହେଁ।

Share