Categories: ଖେଳ

ରାନ୍‌କୀ ରେଡ୍ଡୀ-ପୋନ୍ନାପାଙ୍କ ବୃହତ୍‌ ବିଜୟ

ବ୍ୟାଙ୍କକ୍‌,୩୧।୭(ପିଟି)- ଭାରତୀୟ ମିକ୍ସଡ୍‌ ଡବଲ୍ସ ଖେଳାଳି ସାତ୍ୱିକ ସାଇରାଜ ରାନ୍‌କୀ ରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି କ୍ୟାରିୟରର ଅନ୍ୟତମ ବୃହତ୍‌ ବିଜୟ ହାସଲ କରିଛନ୍ତି। ଏମାନେ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ଚାନ ପେଙ୍ଗ ସୁନ ଓ ଗୋ ଲିଉ ୟିଙ୍ଗଙ୍କୁ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନର ପ୍ରଥମ ରାଉଣ୍ଡରେ ହରାଇ ଦେଇଛନ୍ତି। ଅଣସିଡ୍‌ ଭାରତୀୟ ଯୋଡ଼ି ଏକ ଘଣ୍ଟା ଦୁଇ ମିନିଟ୍‌ ଧରି ଚାଲିଥିବା ମୁକାବିଲାକୁ ୨୧-୧୮, ୧୮-୨୧, ୨୧-୧୭ ଗେମ୍‌ରେ ଜିତି ନେଇଛନ୍ତି। ଦ୍ୱିତୀୟ ଥର ପାଇଁ ବିଶ୍ୱ ମାନ୍ୟତାର ୨୩ତମ ସ୍ଥାନରେ ଥିବା ଭାରତୀୟ ଯୋଡ଼ି ୫ମ ର଼୍ୟାଙ୍କ ମାଲେସିଆନ ସୁନ-ୟିଙ୍ଗଙ୍କୁ ହରାଇଛି। ରାନ୍‌କୀ ରେଡ୍ଡୀ ଓ ପୋନ୍ନାପା ଗତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମାଲେସିଆନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ। ଏହି ଭାରତୀୟ ଯୋଡ଼ି ପରବର୍ତ୍ତୀ ରାଉଣ୍ଡରେ ଇଣ୍ଡୋନେସିଆର ଅଲଫିଆନ ଇକୋ ପ୍ରାସେତ୍ୟା ଓ ମାର୍ଶେଲା ଗିଶଚା ଇସଲାମିଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ୫ମ ସିଡ୍‌ କିଡାମ୍ବି ଶ୍ରୀକାନ୍ତ ୨୩-୨୧, ୧୯-୨୧, ୨୧-୫ ଗେମ୍‌ରେ ଜାପାନର କେଣ୍ଟା ସୁନେୟାମାଙ୍କୁ ହରାଇଛନ୍ତି। ଅନ୍ୟପକ୍ଷରେ ଶୁଭଙ୍କର ଦେ ବିଶ୍ୱର ନଂ ୧ ର଼୍ୟାଙ୍କ କେଣ୍ଟୋ ମୋମୋଟାଙ୍କଠାରୁ ଓ୍ବାକଓଭର ପାଇଛନ୍ତି।

Share