ରାଫାଲ ଅଫିସରେ ଚୋରି

ପ୍ୟାରିସ୍‌/ନୂଆଦିଲ୍ଲୀ,୨୩ା୫: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ରାଫାଲ ଯୁଦ୍ଧବିମାନ ଚୁକ୍ତି ପରିଚାଳନା କରୁଥିବା ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଅଫିସରେ ଚୋରି ହୋଇଛି। ସେଠାରୁ କେତେକ ଦସ୍ତାବିଜ ଓ ଅର୍ଥ ଚୋରି ହୋଇଥିବା ଜଣାପଡ଼ିଛି। ଫ୍ରାନ୍ସର ଯୁଦ୍ଧବିମାନ ନିର୍ମାଣକାରୀ କମ୍ପାନୀ ଦାସଲ୍ଟ ଆଭିଏଶନ୍‌ର ଏକ ଅଫିସ କମ୍ପ୍ଲେକ୍ସ ସେଣ୍ଟ କ୍ଲାଉଡ୍‌ରେ ରହିଛି। ସେହି ଦପ୍ତରରେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ଙ୍କ ଅଧ୍ୟକ୍ଷତାରେ ଭାରତୀୟ ପ୍ରକଳ୍ପ ପରିଚାଳନାକାରୀ ୫ ସଦସ୍ୟ କାର୍ଯ୍ୟ କରନ୍ତି। କେତେଜଣ ଦୁର୍ବୃତ୍ତ ଉକ୍ତ ଅଫିସରୁ ରବିବାର ରାତିରେ ରାଫାଲ ଯୁଦ୍ଧବିମାନ ପ୍ରକଳ୍ପ ସମ୍ପର୍କିତ ଦସ୍ତାବିଜ ଚୋରି ଉଦ୍ୟମ କରିଥିଲେ। କେତେକ ଦସ୍ତାବିଜ ଓ ଅର୍ଥ ଚୋରି ହୋଇଥିବା ଅଭିଯୋଗ ଆସିବା ପରେ ପ୍ୟାରିସ ପୋଲିସ ତଦନ୍ତ ଆରମ୍ଭ କରିଛି। ଆଇଏଏଫ୍‌ ମଧ୍ୟ ଏନେଇ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଅବଗତ କରାଇଛି ବୋଲି ଘଟଣାକ୍ରମ ସମ୍ପର୍କରେ ଅବଗତ ଥିବା ଦୁଇଜଣ ଅଧିକାରୀ ନିଜ ପରିଚୟ ଗୋପନ ସର୍ତ୍ତରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଫ୍ରାନ୍ସଠାରୁ ୩୬ ଯୁଦ୍ଧବିମାନ କିଣିବା ଲାଗି ଭାରତ ୫୯,୦୦୦ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଆସୁଛନ୍ତି। ଦାସଲ୍ଟ ଆଭିଏଶନ୍‌ ଫ୍ରାନ୍ସରେ ଆଇଏଏଫ୍‌କୁ ଆସନ୍ତା ସେପ୍ଟେମ୍ବରରେ ପ୍ରଥମ ପର୍ଯ୍ୟାୟରେ ୪ଟି ଯୁଦ୍ଧବିମାନ ହସ୍ତାନ୍ତର କରିବ। ଏହା ପୂର୍ବରୁ ଦ୍ୱିତୀୟ ଷାଡ୍ମାସିକ ବୈଠକ ଜୁଲାଇ ୧ରେ ହେବାକୁ ଥିବାବେଳେ ସମ୍ପୃକ୍ତ ଅଫିସକୁ ଟାର୍ଗେଟ କରାଯାଇଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ଦସ୍ତାବିଜ ଚୋରି ହୋଇଛି ତାହା ଜଣାପଡ଼ିନାହିଁ।

Share