ରାମମନ୍ଦିର ସପକ୍ଷରେ ରାୟ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଦୀର୍ଘ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ଓ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ୱର ଅନ୍ୟତମ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଐତିହାସିକ ରାୟ ଶନିବାର ପ୍ରକାଶ ପାଇବା ସହ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦର ସମାଧାନ ହୋଇଛି। ବିବାଦୀୟ ସ୍ଥଳରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ପଥ ପରିଷ୍କାର କରିଛନ୍ତି। ୨.୭୭ ଏକର ବିବାଦୀୟ ଭୂମିର ମାଲିକାନା ସ୍ବତ୍ୱ ରାମ ଲାଲା ପକ୍ଷଙ୍କୁ ହସ୍ତାନ୍ତର କରାଯିବ ଓ ସେଠାରେ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଏକ ଟ୍ରଷ୍ଟ ଗଠନ କରି ରୂପରେଖ ପ୍ରସ୍ତୁତ କରିବେ। ସରକାର ଏକ ପ୍ରମୁଖ ସ୍ଥାନରେ ୫ ଏକର ପରିମିତ ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର କରିବେ। ଓ୍ବାକଫ୍‌ ବୋର୍ଡ ଉକ୍ତ ସ୍ଥାନରେ ମସ୍‌ଜିଦ ନିର୍ମାଣ କରିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିର୍ମୋହୀ ଆଖଡ଼ା ଓ ଶିହା ପକ୍ଷର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ପ୍ରକାଶ ପାଇଥିବା ୧୦୪୫ ପୃଷ୍ଠା ସମ୍ବଳିତ ଏହି ସର୍ବସମ୍ମତ ରାୟକୁ କେନ୍ଦ୍ର ସରକାର, ହିନ୍ଦୁତ୍ୱବାଦୀ ଓ ଦକ୍ଷିଣପନ୍ଥୀ ସଙ୍ଗଠନ ସମେତ ଅଧିକାଂଶ ମହଲରେ ସ୍ବାଗତ କରାଯାଇଛି।

ସୁନ୍ନି ଓ୍ବାକଫ୍‌ ବୋର୍ଡ ଉକ୍ତ ରାୟକୁ ସମ୍ମାନ କରିଥିବାବେଳେ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛି। ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର କରାଯିବ ବୋଲି ମୁସ୍‌ଲିମ ପକ୍ଷ ଓକିଲ ଜଫରୟାବ୍‌ ଜିଲାନି କହିଛନ୍ତି। ଅନ୍ୟପକ୍ଷରେ ରାଜନୈତିକ ଦୃଷ୍ଟିରୁ ସର୍ବାଧିକ ସମ୍ବେଦନଶୀଳ ଏହି ମାମଲାର ରାୟ ପ୍ରକାଶକୁ ନେଇ ଦେଶବ୍ୟାପୀ ହାଇଆଲର୍ଟ ଜାରି କରାଯାଇଛି। କୌଣସି ସ୍ଥାନରେ ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟହୋଇ ହିଂସା ଓ ଉତ୍ତେଜନା ଯେପରି ସୃଷ୍ଟି ନ ହେବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ପଦକ୍ଷେପ ନିଆଯାଇଛି। ସୋସିଆଲ ମିଡିଆରେ ଗୁଜବ ରୋକିବା ଲାଗି ସାଇବର ବିଶେଷଜ୍ଞଙ୍କ ସହାୟତା ନିଆଯାଇଛି। ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇବା ପାଇଁ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ନାଟକ, ଜମ୍ମୁ-କଶ୍ମୀର ଓ ଦିଲ୍ଲୀରେ ସ୍କୁଲ କଲେଜଗୁଡ଼ିକ ଛୁଟି ଘୋଷଣା କରାଯାଇଛି।
ଅଯୋଧ୍ୟାର ରାମ ଜନ୍ମଭୂମିକୁ ନେଇ ବିବାଦ ହେଉଛି ଦେଶର ସବୁଠୁ ପୁରୁଣା ଜମି ବିବାଦ ମାମଲା। ଐତିହାସିକଙ୍କ ମତରେ ୧୫୨୮ରେ ମୋଗଲ ସମ୍ରାଟ ବାବରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କମାଣ୍ଡର ମିର ବାକି ସେଠାରେ ଏକ ଢାଞ୍ଚା ନିର୍ମାଣ କରିଥିଲେ, ଯାହାକି ବାବ୍ରୀ ମସ୍‌ଜିଦ ନାମରେ ପରିଚିତ। ଉକ୍ତ ସ୍ଥାନରେ ପୂର୍ବରୁ ଭଗବାନ ରାମଙ୍କର ଏକ ମନ୍ଦିର ଥିଲା ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ୧୮୮୫ ମସିହାରେ ମହନ୍ତ ରଘୁବୀର ଦାସ ଫୈଜାବାଦ ଜିଲା କୋର୍ଟରେ ପ୍ରଥମେ ଏକ ପିଟିଶନ ଦାଏର କରିଥିଲେ। ବିବାଦୀୟ ଢାଞ୍ଚା ବାହାରେ ଏକ ଛତ୍ରୀ ନିର୍ମାଣ ପାଇଁ ଅନୁମତି ଦେବାକୁ ସେ ଏଥିରେ ଅନୁରୋଧ କରିଥିଲେ। କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ୧୯୯୨ ଡିସେମ୍ବର ୬ରେ କରତସେବକମାନେ ଶୋଡ଼ଷ ଶତାବ୍ଦୀର ଉକ୍ତ ବିବାଦୀୟ ଢାଞ୍ଚାକୁ ଭାଙ୍ଗିଦେଇଥିଲେ। ରଘୁବୀର ଦାସଙ୍କ ପିଟିଶନ ବେଳରୁ ଆରମ୍ଭ ହୋଇଥିବା ଶତାବ୍ଦୀ ପୁରୁଣା ବିବାଦ ଶନିବାର ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ସମାଧାନ ହୋଇଛି। ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ପୂର୍ବାହ୍ନ ୧୦ଟା ୩୦ରୁ ୪୫ ମିନିଟ ଧରି ରାୟ ଶୁଣାଇଥିଲେ। ପୀଠ କହିଥିଲେ, ମସ୍‌ଜିଦ ଏକ ପ୍ରମୁଖ ସ୍ଥାନରେ ନିର୍ମାଣ କରାଯିବା ଉଚିତ। କେନ୍ଦ୍ର କିମ୍ବା ଉତ୍ତରପ୍ରଦେଶ ସରକାର ଏଥିପାଇଁ ୫ ଏକର ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର କରିବେ। ସେହିପରି ଭଗବାନ ରାମ ଯେଉଁଠି ଜନ୍ମ ହୋଇଥିଲେ ବୋଲି ହିନ୍ଦୁମାନଙ୍କ ବିଶ୍ୱାସ ରହିଛି, ସେହି ସ୍ଥାନରେ ମନ୍ଦିର ନିର୍ମାଣ କରାଯାଉ। ଏଥିପାଇଁ କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଏକ ଟ୍ରଷ୍ଟ ଗଠନ କରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆମ ଦେଶର ଜମିଗୁଡ଼ିକ ଉପରେ ବ୍ୟବସାୟୀ, ପରିବ୍ରାଜକ ଓ ବିଜେତାମାନଙ୍କ ପକ୍ଷରୁ ଅନେକ ଆକ୍ରମଣ ଓ ବିବାଦ ହୋଇଥିଲେ ହେଁ ଭାରତ ତିଷ୍ଠି ରହିଛି। ଦେଶର ଇତିହାସ ଓ ସଂସ୍କୃତିରେ ଭୌତିକ, ରାଜନୈତିକ ଓ ଆଧ୍ୟାମତ୍ିକ ଉପାୟରେ ସତ୍ୟର ବାସସ୍ଥାନ ରହିଛି।
ପରବର୍ତ୍ତୀ ସିଜେଆଇ ଏସ୍‌.ଏ. ବୋବ୍‌ଡେଙ୍କ ସମେତ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିରଙ୍କୁ ନେଇ ଗଠିତ ପୀଠ ଆହୁରି କହିଛନ୍ତି, ୨.୭୭ ଏକର ବିବାଦୀୟ ଜମିର ଅଧିକାର ରାମ ଲାଲା(୩ ପକ୍ଷଙ୍କ ମଧ୍ୟରୁ ଅନ୍ୟତମ)ଙ୍କୁ ହସ୍ତାନ୍ତର କରାଯିବ। ତେବେ ଏହାର ଦଖଲ ୧୯୯୩ ଅଯୋଧ୍ୟା ଆଇନର ଧାରା ୬ ଅନୁସାରେ କେନ୍ଦ୍ର ସରକାରଙ୍କ ଏକ ଗ୍ରହୀତାଙ୍କ ପାଖରେ ରହିବ। ଭିତର ଓ ବାହାର ପରିସରର ଦଖଲ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠନ ହେବାକୁ ଥିବା ଟ୍ରଷ୍ଟର ବୋର୍ଡ ଅଫ୍‌ ଟ୍ରଷ୍ଟିମାନଙ୍କୁ ଦିଆଯିବା ଉଚିତ। ହିନ୍ଦୁମାନେ ବାହାର ପରିସର ଦଖଲ କରୁଥିଲେ ବୋଲି ପ୍ରମାଣିତ କରିଥିବାବେଳେ ଅଯୋଧ୍ୟା ଜମି ବିବାଦ ମାମଲାରେ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡ ନିଜ ଯୁକ୍ତି ପ୍ରତିପାଦିତ କରିପାରି ନାହାନ୍ତି। ନିର୍ମୋହୀ ଆଖଡ଼ା ମଧ୍ୟ ମନ୍ଦିର ଉପରେ ସେବାୟତି ଅଧିକାର ଓ ପରିଚାଳନା ନେଇ ନିଜ ଦାବିକୁ ପ୍ରମାଣିତ କରିପାରି ନ ଥିବାରୁ ଏହି ପକ୍ଷର ପିଟିଶନ ଖାରଜ ହୋଇଯାଇଛି। ତେବେ କେନ୍ଦ୍ର ସରକାର ଯଦି ଉପଯୁକ୍ତ ମନେକରନ୍ତି ତା’ହେଲେ ନିର୍ମୋହୀ ଆଖଡ଼ାକୁ ଟ୍ରଷ୍ଟରେ ସାମିଲ କରିପାରିବେ। ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି, ହିନ୍ଦୁମାନେ ବିବାଦୀୟ ସ୍ଥଳର ବାହ୍ୟ ପରିସରରେ ପୂଜା କରୁଥିଲେ। ମୁସ୍‌ଲିମମାନେ ଶୁକ୍ରବାର ମସ୍‌ଜିଦରେ ପ୍ରାର୍ଥନା କରୁଥିଲେ। ଏଥିରୁ ସଙ୍କେତ ମିଳୁଛି ଯେ ମୁସଲମାନମାନେ ଉକ୍ତ ସ୍ଥଳରୁ ଦଖଲ ହରାଇ ନ ଥିଲେ। ମସ୍‌ଜିଦରେ ପ୍ରାର୍ଥନାବେଳେ ବ୍ୟାଘାତ ସତ୍ତ୍ୱେ ସେମାନେ ଉକ୍ତ ସ୍ଥାନ ଛାଡ଼ି ନ ଥିଲେ। ବିିବାଦୀୟ ସ୍ଥଳ ତଳେ ଥିବା ଢାଞ୍ଚା ଇସ୍‌ଲାମିକ୍‌ ନ ଥିଲା। କିନ୍ତୁ ମସ୍‌ଜିଦ ନିର୍ମାଣ ପାଇଁ ଏକ ମନ୍ଦିରକୁ ଭଙ୍ଗାଯାଇଥିଲା ବୋଲି ଭାରତର ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସ୍‌ଆଇ) ପ୍ରମାଣ କରିବାରେ ବିଫଳ ହୋଇଛି। ଏହାସତ୍ତ୍ୱେ ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ ଏକ ମାମୁଲି ମତାମତ ବୋଲି କହିବା ଏଏସ୍‌ଆଇକୁ କ୍ଷତି ପହଞ୍ଚାଇବା ସଦୃଶ। ସେହିପରି ବିବାଦୀୟ ସ୍ଥଳରେ ରାମ ଜନ୍ମ ହୋଇଥିଲେ ବୋଲି ହିନ୍ଦୁମାନେ ବିଚାର କରନ୍ତି। ଏପରି କି ମୁସ୍‌ଲିମମାନେ ମଧ୍ୟ ଏପରି କହିଥାନ୍ତି। ଭଙ୍ଗାଯାଇଥିବା ଢାଞ୍ଚାରେ ରାମଙ୍କ ଜନ୍ମ ନେଇ ହିନ୍ଦୁମାନଙ୍କ ଆସ୍ଥା ନିର୍ବିବାଦୀୟ। ସୀତା ରୋଷେଇ, ରାମ ଚଉତରା ଓ ଭଣ୍ଡାରଗୃହ ଏହି ସ୍ଥାନର ଧାର୍ମିକ ତଥ୍ୟର ପ୍ରମାଣ ଦିଏ। ହେଲେ ଆସ୍ଥା ଓ ବିଶ୍ୱାସକୁ ନେଇ ଭୂମିର ସ୍ବତ୍ୱାଧିକାର ପ୍ରମାଣିତ ହୋଇ ନ ପାରେ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ୨.୭୭ ଏକର ଭୂମିକୁ ତିନି ପକ୍ଷ ମଧ୍ୟରେ ସମାନ ଭାବେ ବଣ୍ଟନ କରି ରାୟ ଦେଇଥିଲେ। ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର କରାଯାଇଥିଲା। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ସେହି ରାୟକୁ ଭୁଲ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ରାୟର ମୁଖ୍ୟାଂଶ
ବିବାଦୀୟ ଭୂମିର ମାଲିକାନା ସ୍ବତ୍ୱ ରାମ ଲାଲା ପକ୍ଷଙ୍କୁ ହସ୍ତାନ୍ତର କରାଯିବ
ଉକ୍ତ ଭୂମି କେନ୍ଦ୍ର ସରକାରଙ୍କ ପାଖରେ ରହିବ
ରାଜସ୍ବ ରେକର୍ଡରେ ବିବାଦୀୟ ସ୍ଥଳ ସରକାରଙ୍କ ଭୂମି ବୋଲି ରହିଥିଲା
ନୂଆ ମସ୍‌ଜିଦ ନିର୍ମାଣ ପାଇଁ ମୁସ୍‌ଲିମମାନଙ୍କୁ ବିକଳ୍ପ ଜମି ଦେବେ କେନ୍ଦ୍ର ସରକାର
ପ୍ରମୁଖ ସ୍ଥାନରେ ୫ ଏକର ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର କରାଯିବ
କେନ୍ଦ୍ର ସରକାର ରାମମନ୍ଦିର ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଯୋଜନା ପ୍ରସ୍ତୁତ କରି ଏକ ଟ୍ରଷ୍ଟ ଗଠନ କରିବେ
ସମଗ୍ର ବିବାଦୀୟ ଭୂମିର ନିୟନ୍ତ୍ରଣ ହାତକୁ ନେବା ପାଇଁ ନିର୍ମୋହୀ ଆଖଡ଼ା ପକ୍ଷରୁ ଦାଏର ପିଟିଶନ ଖାରଜ
କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାର ମିଳିତ ଭାବେ ଭବିଷ୍ୟତ କାର୍ଯ୍ୟପନ୍ଥା ଅନୁଧ୍ୟାନ କରିବେ
ଟ୍ରଷ୍ଟରେ ନିର୍ମୋହୀ ଆଖଡ଼ାର ପ୍ରତିନିଧିତ୍ୱ ଆବଶ୍ୟକ ମନେକଲେ ସରକାର ତାକୁ ଅନୁମତି ଦେଇପାରନ୍ତି
୧୯୯୨ ଡିସେମ୍ବର ୬ରେ ଭଙ୍ଗାଯାଇଥିବା ବାବ୍ରୀ ମସ୍‌ଜିଦ ଏକ ଖାଲି ଜମି ଉପରେ ନିର୍ମିତ ହୋଇ ନ ଥିଲା
ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ କେବଳ ମତାମତ ବୋଲି ଅଭିହିତ କରିବା ଏଏସ୍‌ଆଇ ପ୍ରତି ଏକ ବଡ଼ କ୍ଷତିକାରକ କାର୍ଯ୍ୟ
ବିଧ୍ୱସ୍ତ ମସ୍‌ଜିଦ ଢାଞ୍ଚା ତଳେ ଏକ ମନ୍ଦିର ଥିବା ନେଇ ଏଏସ୍‌ଆଇ ପ୍ରମାଣିତ କରିଛି
ଢାଞ୍ଚା ଇସ୍‌ଲାମିକ୍‌ ଢାଞ୍ଚା ନୁହେଁ
ତେବେ ମସ୍‌ଜିଦ ନିର୍ମାଣ ପାଇଁ ମନ୍ଦିରକୁ ଭଙ୍ଗା ଯାଇଥିଲା ବୋଲି ଏଏସ୍‌ଆଇ ପ୍ରମାଣ ଦେଇପାରି ନାହିଁ
ହିନ୍ଦୁମାନେ ଏହାକୁ ଭଗବାନ ରାମଙ୍କ ଜନ୍ମଭୂମି ମନେକରୁଥିବାବେଳେ ମୁସ୍‌ଲିମ ବିବାଦୀୟ ସ୍ଥାନ ବିବେଚନା କରନ୍ତି
ସୀତା ରୋଷେଇ, ରାମ ଚଉତରା ଓ ଭଣ୍ଡାର ଗୃହ ହେଉଛି ଉକ୍ତ ସ୍ଥାନର ଧାର୍ମିକ ତଥ୍ୟର ପ୍ରମାଣ
ବାହ୍ୟ ପରିସରରେ ହିନ୍ଦୁମାନେ ପୂଜା କରୁଥିଲେ ବୋଲି ପ୍ରମାଣ ମିଳିଛି
ପ୍ରମାଣରୁ ଜଣାପଡ଼ିଛି ଯେ, ମୁସଲମାନମାନେ ଶୁକ୍ରବାର ମସ୍‌ଜିଦରେ ପ୍ରାର୍ଥନା କରୁଥିଲେ। ସେମାନେ ଦଖଲ ହରାଇ ନ ଥିଲେ ବୋଲି ଏହା ସଙ୍କେତ ଦିଏ
8 ୧୮୫୬ରୁ ୧୮୫୭ ମଧ୍ୟରେ ଲୁହା ରେଲିଂ ତିଆରି କରାଯାଇଥିଲା। ହିନ୍ଦୁମାନେ ସେଠାରେ ପୂଜା ଜାରି ରଖିଥିବା ଏଥିରୁ ଜଣାପଡ଼େ
ଆସ୍ଥା ଓ ବିଶ୍ୱାସ ଆଧାରରେ ଭୂମିର ସ୍ବତ୍ୱ ପ୍ରମାଣିତ ହୋଇପାରିବ ନାହିଁ। ବିବାଦର ସମାଧାନ ପାଇଁ ତାହା କେବଳ ସୂଚକ
ବିବାଦୀୟ ସ୍ଥଳର ଦଖଲ ନେଇ ମୁସ୍‌ଲିମ ପକ୍ଷ ପ୍ରମାଣ ଦେଇପାରି ନାହାନ୍ତି
ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡ ଅଯୋଧ୍ୟା ବିବାଦ ମାମଲାରେ ନିଜ ଅଧିକାର ସାବ୍ୟସ୍ତ କରିପାରି ନାହିଁ
ବାବ୍ରୀ ମସ୍‌ଜିଦ ଭଙ୍ଗାଯିବା ଆଇନର ଉଲ୍ଲଂଘନ ଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ବିଜୟ ଧାରା ଜାରି

ବେଙ୍ଗାଲୁରୁ,୧୦ା୪: ବୋଲରଙ୍କ ମାପଚୁପ ବୋଲିଂ ଏବଂ ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ...

ମେ ୧୮ରୁ କଳିଙ୍ଗ ବ୍ଲାକ୍‌ ଟାଇଗର୍ସର ଅଭ୍ୟାସ

ଭୁବନେଶ୍ୱର, ୧୦।୪(ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ ଓ ଜିଏମ୍‌ଆର୍‌ର ମିଳିତ ଆନୁକୂଲ୍ୟରେ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସ(ମୁମ୍ବାଇ ଫୁଟ୍‌ବଲ ଆରେନା)ରେ ଆସନ୍ତା...

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନିରାକାରପୁର,୧୦।୪(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ନିକଟ କୁଆଁରୀ ଜଙ୍ଗଲରୁ ଜଣେ ଯୁବକଙ୍କ...

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ

ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ଜଙ୍ଗଲରେ ନିଆଁ ଲିଭାଇଲା ବେଳେ ପୋଡ଼ି ଯାଇଥିଲେ କର୍ମଚାରୀ: ଆନ୍ଦୋଳନ ପରେ ମିଳିଲା ୧୦ ଲକ୍ଷ କ୍ଷତିପୂରଣ

କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image