Categories: ଜାତୀୟ

ରାମଲଲା କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରହିବେ

ନୂଆଦିଲ୍ଲୀ,୯।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ରାମଲଲାଙ୍କୁ କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରଖାଯିବ। ପରେ ତାଙ୍କୁ ନୂଆ ମନ୍ଦିରକୁ ବିଜେ କରାଯିବ। ଅଯୋଧ୍ୟା ବିବାଦ ଯୋଗୁ ଦୀର୍ଘ ୨୭ ବର୍ଷ ରାମଲଲାଙ୍କୁ ଟେଣ୍ଟ୍‌ରେ ରଖାଯାଇ ପୂଜାର୍ଚ୍ଚନା କରାଯାଉଥିଲା। ନୂଆ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିବ ବୋଲି କୁହାଯାଉଛି। ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ୧୯୮୭ରେ ପ୍ରସ୍ତୁତ ହୋଇଥିବା ମଡେଲ ଅବା ନୂଆ ମଡେଲ ଭଳି ମନ୍ଦିର ନିର୍ମାଣ କରାଯିବ। ନୂଆ ମଡେଲରେ ମନ୍ଦିର ନିର୍ମାଣ କରାଗଲେ ଏହା ଶେଷ ହେବାକୁ ୨୫ ବର୍ଷ ସମୟ ଲାଗିବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି। ମଡେଲ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଟ୍ରଷ୍ଟ ନେବ। ବିଶ୍ୱ ହିନ୍ଦୁ ପରିଷଦର ମଡେଲ ଅନୁସାରେ ମନ୍ଦିରରେ ୧୦୬ ସ୍ତମ୍ଭ ରହିବ। ଇତିମଧ୍ୟରେ ୬୦ରୁ ୭୦ ପ୍ରତିଶତ ପଥର ସ୍ତମ୍ଭ ପ୍ରସ୍ତୁତ ହୋଇ ସାରିଛି। ବିଶ୍ୱ ହିନ୍ଦୁ ପରିଷଦର ମଡେଲ ଭବ୍ୟ ନୁହେଁ ବୋଲି କହି କେତେକ ଏହାର ବିରୋଧ କରୁଛନ୍ତି। ତେଣୁ କେଉଁ ମଡେଲ ଆଧାରରେ ମନ୍ଦିର ନିର୍ମାଣ କରାଯିବ ସେ ନେଇ ଚର୍ଚ୍ଚା ଜାରି ରହିଛି।

Share