ରାମାୟଣର ପ୍ରସାରଣ ପରେ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରୁଛନ୍ତି ଦର୍ଶକେ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଦୂରଦର୍ଶନରେ ପୁଣିଥରେ ରାମାୟଣ ଧାରାବାହିକ ପ୍ରସାରଣ ହେବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କେହି କେହି ରାମାୟଣ ଦେଖି ନିଜର ଖୁସି ବ୍ୟକ୍ତ କରିଥିବା ବେଳେ ଆଉ କେହି କେହି ଟେଲିଭିଜନର କ୍ଲିପ ନେଇ ଏହାକୁ ଟୁଇଟର୍‌ରେ ଶେୟାର କରିଥିବା ଦେଖାଯାଇଛି। ଦୁଇ ଦିନ ପୂର୍ବେ ଦୂରଦର୍ଶନରେ ରାମାୟଣ ପ୍ରସାରଣକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ସୂଚନା ଦେଇଥିଲେ। ଏହା ଜାଣିବା ପରେ ଦର୍ଶକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା। ତେବେ ମାର୍ଚ୍ଚ ୨୮ରୁ ଡିଡି ଭାରତୀରେ ମଧ୍ୟାହ୍ନ ୧୨ଟା ଓ ସନ୍ଧ୍ୟା ୭ଟାରେ ମହାଭାରତ ପ୍ରସାରଣ କରାଯିବ ବୋଲି ମଧ୍ୟ ସୂଚନା ରହିଛି। ଲକ୍‌ଡାଉନ୍‌ ସମୟରେ ଦୂରଦର୍ଶନରେ ଏଭଳି ଧାରାବାହିକ ପ୍ରସାରିତ ହୋଇଥିବାରୁ ଦର୍ଶକେ ଦୂରଦର୍ଶନକୁ ଧନ୍ୟବାଦ ଜଣାଇଛନ୍ତି।

Share