ରାମାୟଣ ଦେଖି ଖୁସି ହେଲେ ବରିଷ୍ଠ ନାଗରିକ

ପୁରୀ ଅଫିସ,୨୯ା୩: ପରଦାକୁ ଫେରିଲା ପୌରାଣିକ ଧାରାବାହିକ ରାମାୟଣ। ଅଶୀ ଦଶକର ଏହି ଲୋକପ୍ରିୟ ଧାରାବାହିକ ଶନିବାରଠାରୁ ପୁଣି ପ୍ରସାରଣ ଆରମ୍ଭ ହୋଇଛି। ବର୍ତ୍ତମାନ କରୋନାକୁ ନେଇ ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବାବେଳେ ଦର୍ଶକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ପାଇଁ ଦୂରଦର୍ଶନରେ ରାମାୟଣର ପୁନଃ ପ୍ରସାରଣ କରାଯାଇଛି। ଏହାକୁ ଦେଖି ଯୁବଗୋଷ୍ଠୀ ପିଲାଦିନ ସ୍ମୃତିକୁ ମନେ ପକାଇଛନ୍ତି । ସେହିପରି ଘରେ ବସି ସମୟ ବିତାଇବା ପାଇଁ ରାମାୟଣ ପ୍ରସାରଣକୁ ବରିଷ୍ଠ ନାଗରିକ ବେଶ୍‌ ପସନ୍ଦ କରିଛନ୍ତି। ସ୍ବେଚ୍ଛାସେବୀ ଅନୁଷ୍ଠାନ ହୋପ୍‌ ଇଜ୍‌ ଲାଇଫ୍‌ର ୱେଲ୍‌ଡେଜ ହୋମ୍‌ ପରିସରରେ ଶନିବାର ସକାଳେ ବହୁ ବୃଦ୍ଧାବୃଦ୍ଧ ବସି ରାମାୟଣ ଦେଖି ଖୁସି ହୋଇଥିଲେ। ଜରାଶ୍ରମରେ ରହୁଥିବା ଗୀତାରାଣୀ ସାହୁ, ନକୁଳ ମହାରଣା, ଗୀତାଞ୍ଜଳି ମହାରଣା ପ୍ରମୁଖ ରାମାୟଣକୁ ଦେଖି ଦୁଇହାତ ଟେକି କରୋନା ଦାଉରୁ ରକ୍ଷା କର ବୋଲି ପ୍ରଭୁ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ କହିଥିଲେ। ସେହିପରି ଉତ୍କଳ ବାଳାଶ୍ରମରେ ପିଲାମାନେ ସାମାଜିକ ଦୂରତ୍ୱ ରକ୍ଷା କରି ତଳେ ବସି ରାମାୟଣ ଉପଭୋଗ କରିଥିଲେ।