‘ରାମାୟଣ’, ‘ମହାଭାରତ’କୁ ନେଇ ଟିଆର୍‌ପି ଦୌଡରେ ଦୁଇ ଘରୋଇ ଚ୍ୟାନେଲ

ନୂଆଦିଲ୍ଲୀ,୪।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ପୁରୁଣା ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’। ଦର୍ଶକେ ଏହାକୁ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ ଲକ୍‌ଡାଉନ ସମୟରେ ଟିଆର୍‌ପିରେ ରେକର୍ଡ କରିଥିଲା ଦୂରଦର୍ଶନ। ଏହି ସମୟରେ ଅନ୍ୟ ସମସ୍ତ ଘରୋଇ ଚ୍ୟାନେଲରେ ପୁରୁଣା ଧାରାବାହିକ ପ୍ରସାରଣ କରାଯାଉଥିଲା ସତ। ହେଲେ ଦର୍ଶକେ ‘ରାମାୟଣ’ ଓ ‘ମହାଭାରତ’କୁ ଅଧିକ ପସନ୍ଦ କରିଥିଲେ। ଏହା ଦେଖିବା ପରେ ଦୁଇଟି ଘରୋଇ ଚ୍ୟାନେଲ ଏବେ ଏହି ଧାରାବାହିକକୁ ପୁନଃ ପ୍ରସାରଣ କରିବାକୁ ସ୍ଥିର କରିଛନ୍ତି। ତେବେ ସୋମବାରଠାରୁ ଷ୍ଟାର ପ୍ଲସରେ ରାମାୟଣ ପ୍ରସାରଣ ପାଇଁ ପ୍ରମୋ ଆସିଯାଇଥିବା ବେଳେ କଲର୍ସରେ ମହାଭାରତ ପ୍ରସାରଣ କରାଯିବ ବୋଲି ପୂର୍ବରୁ ସୂଚନା ମିଳିଥିଲା। ପ୍ରଥମଥର ପାଇଁ ପ୍ରସାରଣ କରାଯାଇଥିବା କୌଣସି ଧାରାବାହିକକୁ ଅନ୍ୟଏକ ଚ୍ୟାନେଲ କିଣି ପୁନଃ ପ୍ରସାରଣ କରୁଥିବା ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଉଭୟ ଚ୍ୟାନେଲ ଏବେ ଦର୍ଶକଙ୍କୁ କେତେ ମାତ୍ରାରେ ବାନ୍ଧି ରଖିପାରୁଛନ୍ତି ତାହା ସମୟ କହିବ।

Share