ପାଟନା,୯।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଟ୍ରଷ୍ଟ ଗଠନ କରାଯିବା ପରେ ଦାନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିହାର ପାଟନାରେ ଥିବା ମହାବୀର ମନ୍ଦିର ପକ୍ଷରୁ ରାମ ମନ୍ଦିର ନିର୍ମାଣ ପାଇଁ ୧୦ କୋଟି ଟଙ୍କା ଦାନ କରାଯାଇଛି। ମହାବୀର ମନ୍ଦିର ଟ୍ରଷ୍ଟର ସମ୍ପାଦକ କିଶୋର କୁନାଲ କହିଛନ୍ତି ସେ ସେଠାକୁ ଯାଇ ପ୍ରଥମେ ୨ କୋଟି ଟଙ୍କାର ଏକ ଚେକ୍ ପ୍ରଦାନ କରିବେ। ଏହାପରେ କିସ୍ତି ଅନୁଯାୟୀ ସର୍ବମୋଟ ୧୦ କୋଟି ଟଙ୍କା ମନ୍ଦିର ପକ୍ଷରୁ ଦାନ କରାଯିବ ବୋଲି ସେ କହିଛନ୍ତି। ସେହିପରି ମହାବୀର ମନ୍ଦିର ଦାନ ବାକ୍ସରୁ ୧୮୧୮ ମସିହାର ୩୦ଟି କଏନ ବାହାରିଥିବା ବେଳେ ଏଥିରେ ରାମ, ସୀତା, ଲକ୍ଷ୍ମୀ ଓ ହନୁମାନଙ୍କ ଛବି ଥିବାରୁ ଏହାକୁ ମଧ୍ୟ ଅଯୋଧ୍ୟା ରାମ ମନ୍ଦିରକୁ ଦାନ କରାଯିବ ବୋଲି ସେ କହିଛନ୍ତି।