ରୋହତକ,୧୫।୮: ଆତ୍ମ ଘୋଷିତ ଭଗବାନ ଗୁରୁମିତ ରାମ ରହିମ ସିଂ ଏବେ ଜେଲ୍ରେ। ବଳାତ୍କାର ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍ରେ ସଜା କାଟୁଛନ୍ତି। ହେଲେ ଏପର୍ଯ୍ୟନ୍ତ ବି କମିନାହିଁ ତାଙ୍କ ଭକ୍ତଙ୍କ ସଂଖ୍ୟା। ତାଙ୍କ ଜନ୍ମଦିନ ଆଉ ଗୁରୁବାର ରାଖୀ ପୂର୍ଣ୍ଣିମା ଥିବାରୁ ଏବେ ଦିନକୁ ପ୍ରାୟ ୨ ହଜାର ବାର୍ଥ ଡେ’ କାର୍ଡ ଓ ରାଖୀ ଆସି ପହଞ୍ଚୁଛି ପୋଷ୍ଟ ଅଫିସରେ। ଏମିତି ୭-୮ ହଜାର କାର୍ଡ ଓ ରାଖୀ ଏପର୍ଯ୍ୟନ୍ତ ପହଞ୍ଚି ସାରିଲାଣି। ଯାହା ସେଠାକାର କର୍ମଚାରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ତେବେ ପୋଷ୍ଟ ଅଫିସରେ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବାରୁ ଏଗୁଡିକୁ ଡାଟାବେସରେ ଅପଲୋଡ କରି ଡେସ୍ପାଚ୍ କରିବାରେ ବହୁ ସମୟ ଲାଗୁଥିବା କୁହନ୍ତି ପୋଷ୍ଟ ମାଷ୍ଟର। କେବଳ ସେତିକି ନୁହେଁ ଅନ୍ୟପଟେ ଜେଲ୍ ପ୍ରଶାସନ ମଧ୍ୟ ଏହାକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ। କାରଣ ସମସ୍ତ କାର୍ଡ ଓ ରାଖୀ ଗୁଡିକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ଯାଇ ଏସବୁକୁ ରାମ ରହିମଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଜରୁରୀ। ସୂଚନାଯୋଗ୍ୟ, ରାମ ରହିବ ଏବେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ସୁନରିଆ ଜେଲରେ ସଜା କାଟୁଛନ୍ତି।