ରାଶନ କାର୍ଡରେ୯ ସଦସ୍ୟ: ସମସ୍ତଙ୍କ ଜାତି ଓ ପିତାଙ୍କ ନାମ ଅଲଗା

ଉତ୍ତରପ୍ରଦେଶ ଗାଜିଆବାଦ୍‌ର ଯୋଗାଣ ବିଭାଗ କାର୍ଯ୍ୟାଳୟର ଖାମଖିଆଲି ନୀତି ପଦାକୁ ଆସିଛି। ଏଠାରେ ପ୍ରଥମେ ବିନା ଯାଞ୍ଚରେ ଲକ୍ଷ୍ମୀ ନାମକ ଜଣେ ମହିଳାଙ୍କୁ ରାଶନ କାର୍ଡ ଦିଆଯାଇଛି। କାର୍ଡରେ ସଦସ୍ୟ ସଂଖ୍ୟ ୯ ଜଣ ଦର୍ଶାଯାଇଛି। ଲକ୍ଷ୍ମୀଙ୍କୁ ଛାଡି ୮ ଜଣ ସଦସ୍ୟଙ୍କୁ ମହିଳାଙ୍କ ଝିଅ-ପୁଅ ତଥା ଜଣେ ଯୁବକଙ୍କୁ ତାଙ୍କ ଜ୍ୱାଇଁ ବୋଲି ଦର୍ଶାଯାଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ପରିବାରର ସମସ୍ତ ସଦସ୍ୟଙ୍କ ପିତାଙ୍କ ନାମ ଭିନ୍ନ ଭିନ୍ନ ଉଲ୍ଲେଖ କରାଯାଇଛି। ଅଧିକାଂଶ ସଦସ୍ୟଙ୍କର ଜାତି ମଧ୍ୟ ଅଲଗା ଅଲଗା ରହିଛି। ଏହି ଘଟଣା ପଦାକୁ ଆସିଲା ପରେ ଏହାକୁ ଚପାଇ ଦେବାକୁ ଚେଷ୍ଟାକରାଯାଉଛି। କିନ୍ତୁ କେତେଜଣ ସ୍ଥାନୀୟ ଲୋକ ତହସିଲଦାରଙ୍କ ପାଖରେ କାର୍ଡ ଦେଖାଇ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ପରେ ଏହି ଘଟଣାର ତଦନ୍ତ ଲାଗି ଯୋଗାଣ ବିଭାଗର ଅଧିକାରୀଙ୍କୁ ଦିଆଯାଇଛି ବୋଲି ତହସିଲଦାର ପ୍ରକାଶ କରିଛନ୍ତି। କିନ୍ତୁ ଏହି ଘଟଣାକୁ ଏକ ବଡ଼ ତ୍ରୁଟି ଭାବେ ସ୍ବୀକାର କରିବା ସହ ଏହା କେଉଁ ସ୍ତରରେ କିପରି ହୋଇଛି ତାହାର ତଦନ୍ତ ହେବା ଉଚିତ ବୋଲି ଯୋଗାଣ ବିଭାଗ ଅଧିକାର କହିଛନ୍ତି।

Share