ରାଶନ କାର୍ଡରେ ମିଳିବ ମାଣ୍ଡିଆ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ନିରାପତ୍ତା ଯୋଜନାରେ ଏଣିକି ରାଶନ କାର୍ଡଧାରୀଙ୍କୁ ମାଣ୍ଡିଆ ଯୋଗାଇ ଦେବେ। ପ୍ରତି କାର୍ଡ ପିଛା ୧ ଟଙ୍କାରେ ୧ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବ। ଆସନ୍ତା ଜୁଲାଇରୁ ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡ଼ା ଓ ରାୟଗଡ଼ା ଆଦି ୭ ଜିଲାରେ ପରୀକ୍ଷାମୂଳକ ଭାବେ ରାଶନ କାର୍ଡରେ ମାଣ୍ଡିଆ ବଣ୍ଟନ କରାଯିବ। ମାଲକାନଗିରି ଜିଲାର ହିତାଧିକାରୀଙ୍କୁ କାର୍ଡ ପିଛା ୨ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ ଯୋଗାଇ ଦିଆଯିବ। ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ମିଲେଟ ମିଶନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମାଣ୍ଡିଆ ଖାଦ୍ୟକୁ ପ୍ରୋତ୍ସାହନ ଦେବାକୁ ଏଭଳି ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ମିଲେଟ ମିଶନ, ଟ୍ରାଇବାଲ ଡେଭେଲପମେଣ୍ଟ କୋଅପରେଟିଭ କର୍ପୋରେଶନ(ଟିଡିସିସି)ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ମାଣ୍ଡିଆ ମିଳୁଥିବା ନେଇ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି। ଚାହିଦାକୁ ଦେଖି ଅଧିକରୁ ଅଧିକ ମାଣ୍ଡିଆ ଯୋଗାଇଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୌରଭ ଗର୍ଗ ମାଣ୍ଡିଆ କିଣା ଓ ଏହାର ବଣ୍ଟନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ।
ଆସନ୍ତା ଖରିଫ ଋତୁରେ ଚାଷୀମାନଙ୍କଠାରୁ ମାଣ୍ଡିଆ କୁଇଣ୍ଟାଲ ପିଛା ୨୮୯୭ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦେଇ ୧ ଲକ୍ଷ କୁଇଣ୍ଟାଲ କ୍ରୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ଚାଷୀମାନେ ମାଣ୍ଡିଆ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ ନାହିଁ। ସେମାନଙ୍କୁ ଉତ୍ପାଦିତ ମୂଲ୍ୟ ମିଳିପାରିବ। ୨୦୧୮ ଖରିଫ ଋତୁରେ ୨୪,୪୯୯ ମାଣ୍ଡିଆ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୬୨୨ ଚାଷୀ ସେମାନଙ୍କର ବଳକା ମାଣ୍ଡିଆକୁ ଟିଡିସିସିକୁ ବିକ୍ରି କରିଥିଲେ। ଟିଡିସିସି ୮ ଜିଲାରୁ ୬୮ ସମବାୟ ସମିତି ଜରିଆରେ ୧୭ ହଜାର ୯୮୬ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିଥିଲା। ବୈଠକରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ଉନ୍ନୟନ କମିଶନର ଅସିତ୍‌ କୁମାର ତ୍ରିପାଠୀ, ସମବାୟ ସଚିବ କ୍ରିଷନ କୁମାର, ମିଲେଟ ମିଶନ, ଟିଡିସିସି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

Share