ରାଶନ ବିତରଣ କେନ୍ଦ୍ରରେ ଦର ତାଲିକା ନ ଲାଗିବା ନେଇ ଅସନ୍ତୋଷ

ଚୌଦ୍ୱାର,୩୦ା୫(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକାର ୧୯ଟି ଓ୍ବାର୍ଡରେ ୧୭ଟି ବିତରଣ କେନ୍ଦ୍ର ଥିବାବେଳେ କୌଣସି କେନ୍ଦ୍ରରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଖାଉଟି ସାମଗ୍ରୀର ଦର ତାଲିକା ଲେଖାଯାଉନାହିଁ। ଯାହାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିବା ସହିତ ଅସନ୍ତୋଷ ପ୍ରକାଶ ପାଇଛି। ଯଦିଓ କିଛି କେନ୍ଦ୍ରରେ ଦର ତାଲିକା ବୋର୍ଡ ଲଗାଯାଇଛି ତାହା କାର୍ଯ୍ୟରେ ଲାଗୁନାହିଁ। ନିକଟରେ ସାଧାରଣ ବଣ୍ଟନ ପାଇଁ ଦିଆଯାଇଥିବା କିରୋସିନର ପାଇକାରୀ ଦର ଓ ପରିମାଣକୁ ନେଇ ଚୌଦ୍ୱାର ପୌରପାଳିକା ଚର୍ଚ୍ଚାରେ ରହିଥିଲା। ଏପରିକି ଚୌଦ୍ୱାର ଅଞ୍ଚଳର ସୂଚନା ଅଧିକାର କର୍ମୀ କିରୋସିନ ଦରର ପ୍ରକୃତ ସରକାରୀ ଦରକୁ ନେଇ ଥାନାରେ ଅଭିଯୋଗ କରିଥିଲେ। ପରେ ପୌରପାଳିକା ପକ୍ଷରୁ ହିତାଧିକାରୀମାନଙ୍କୁ ପଇସା ମଧ୍ୟ ଫେରସ୍ତ କରାଯାଇଥିଲା। ସରକାରଙ୍କ ନିୟମ ଅନୁଯାୟୀ, ପ୍ରତେକ ବଣ୍ଟନ କେନ୍ଦ୍ରରେ ହିତାଧିକାରୀଙ୍କ ଅବଗତି ନିମନ୍ତେ ଖାଉଟି ସାମଗ୍ରୀ ମୂଲ୍ୟ ଓ ପରିମାଣର ତାଲିକା ସୂଚନାଫଳକ ଲଗାଯିବା ଜରୁରୀ ଥିବାବେଳେ ଏହାକୁ ଚୌଦ୍ୱାର ପୌରପାଳିକା ଅଣଦେଖା କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ତୁରନ୍ତ ପୌରପାଳିକା ଏହା ଉପରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Share