Categories: ଫୁରସତ

ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୮୦୦ କିମି ପଛୁଆ ଚାଲି ଚାଲି ଆସୁଛନ୍ତି ଏହି ବ୍ୟକ୍ତି

ଜାକର୍ତ୍ତା: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ମେଦି ବସ୍ତୋନୀ(୪୩ ବର୍ଷ) ନାମକ ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ପଛୁଆ ୮୦୦ କିମି ଚାଲି ଚାଲି ସେ ରାଷ୍ଟ୍ରପତି ଜୁକୋ ଓ୍ବିଡୋଡୋଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରତିଦିନ ସେ ୩୦ କିମି ପଛୁଆ ଚାଲୁଛନ୍ତି। ଏକ ଖାସ୍‌ ମିଶନ୍‌ ପାଇଁ ସେ ଏହି ଯାତ୍ରା କରୁଛନ୍ତି ବୋଲି କହନ୍ତି ମେଦି। ରାଷ୍ଟ୍ରପତିଙ୍କୁ ଭେଟି ଜଙ୍ଗଲର ଏକ ଗଛ ବିଷୟରେ ପଚାରି ବୁଝିବେ ବୋଲି ସେ କହିଛନ୍ତି। ମେଦି ଜୁଲାଇ ୧୮ରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଅଗଷ୍ଟ ୧୭ରେ ସେ ଜାକର୍ତ୍ତାରେ ପହଞ୍ଚିଯିବେ ବୋଲି ଅନୁମାନ କରାଯାଉଛି। ଏହି ଯାତ୍ରାକୁ ସହଜ କରିବା ପାଇଁ ମେଦି ଏକ ଉପାୟ ଅବଲମ୍ବନ କରିଛନ୍ତି। ସେ ଏକ ଖାସ୍‌ ଷ୍ଟାଣ୍ଡ୍‌ ନିର୍ମାଣ କରିଛନ୍ତି, ସେଥିରେ ମିରର୍‌ ଲାଗିଛି। ଯେଉଁଥିରେ ପଛ ରାସ୍ତା ସବୁ ଦେଖାଯାଉଛି। ଫଳରେ ପଛରୁ ଆସୁଥିବା ଗାଡିମୋଟର ସହଜରେ ଦେଖିପାରୁଛନ୍ତି। ପ୍ରତିଦିନ ୩୦ କିମି ଯାତ୍ରା ଶେଷ କରି ମସ୍‌ଜିଦ୍‌, ଥାନା ଏବଂ ସିକ୍ୟୁରିଟି ପୋଷ୍ଟରେ ରାତ୍ରିଯାପନ କରନ୍ତି। ପରଦିନ ପୁଣି ଥରେ ବାହାରନ୍ତି ବୋଲି କହନ୍ତି ମେଦି।

Share