Categories: ଜାତୀୟ

ରାଷ୍ଟ୍ରପତିଙ୍କ ଅଧିସୂଚନା: ଜମ୍ମୁ-କଶ୍ମୀରରେ ଲାଗୁ ହେଲା ଭାରତର ସମ୍ବିଧାନ

ନୂଆଦିଲ୍ଲୀ,୫ା୮(ପି.ଟି./ଆଇଏଏନ୍‌ଏସ୍‌): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଜମ୍ମୁ-କଶ୍ମୀର ସରକାର ସମ୍ପର୍କିତ ସମ୍ବିଧାନ (ଜମ୍ମୁ-କଶ୍ମୀରରେ ଲାଗୁ) ନିର୍ଦ୍ଦେଶନାମା, ୨୦୧୯ ଜାରି କରିଛନ୍ତି। ଭାରତୀୟ ସମ୍ବିଧାନ ଏହି ରାଜ୍ୟରେ ଲାଗୁ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି। ସଦ୍ୟ ଅଧିସୂଚନା ତତ୍କାଳ ରାଜ୍ୟର ସମ୍ବିଧାନ (ଜମ୍ମୁ-କଶ୍ମୀରରେ ଲାଗୁ) ନିର୍ଦ୍ଦେଶନାମା, ୧୯୫୪ର ସ୍ଥାନ ନେବ। ଭାରତୀୟ ସମ୍ବିଧାନର ସମସ୍ତ ନିୟମ ଜମ୍ମୁ-କଶ୍ମୀର ପାଇଁ ପ୍ରଯୁଜ୍ୟ ହେବ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ସମ୍ବିଧାନ ଅନୁଚ୍ଛେଦ ୩୬୭ରେ ଧାରା ୪ ଯୋଡ଼ିଛନ୍ତି, ଯେଉଁଥିରେ ୪ଟି ପରିବର୍ତ୍ତନ କରାଯାଇଛି। ଏଥିରେ କୁହାଯାଇଛି ଯେ, ସମ୍ବିଧାନ କିମ୍ବା ଏହାର ନିୟମଗୁଡ଼ିକର ନିର୍ଦ୍ଦେଶକୁ ଉକ୍ତ ରାଜ୍ୟ ସମ୍ପର୍କିତ ସମ୍ବିଧାନ ଓ ତା’ର ନିୟମଗୁଡ଼ିକୁ ଲାଗୁ କରିବାର ନିର୍ଦ୍ଦେଶ ଭାବେ ବିବେଚନା କରାଯିବ। ଯେଉଁ ବ୍ୟକ୍ତିଙ୍କୁ ରାଜ୍ୟ ବିଧାନସଭାର ସୁପାରିସ ଉପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଜମ୍ମୁ ଓ କଶ୍ମୀରର ସଦର-ଇ-ରିୟାସତ (ଯିଏକି କ୍ଷମତାସୀନ ରାଜ୍ୟ ମନ୍ତ୍ରି ପରିଷଦର ପରାମର୍ଶରେ କାର୍ଯ୍ୟ କରୁଛନ୍ତି) ରୂପେ ମାନ୍ୟତା ଦିଆଯାଇଛି, ତାଙ୍କ ପାଇଁ ନିର୍ଦ୍ଦେଶଗୁଡ଼ିକୁ ଜମ୍ମୁ-କଶ୍ମୀରର ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦେଶନାମା ଭାବେ ପରିଗଣିତ ହେବ। ରାଜ୍ୟପାଳଙ୍କ ନିର୍ଦ୍ଦେଶଗୁଡ଼ିକ ମନ୍ତ୍ରୀ ପରିଷଦର ପରାମର୍ଶ ଅନୁସାରେ ଦିଆଯାଇଥିବା ବିବେଚନା କରାଯିବ। ସମ୍ବିଧାନ ଅନୁଚ୍ଛେଦ ୩୭୦ର ଧାରା (୩) ଅନୁସାରେ ରାଜ୍ୟର ‘ସମ୍ବିଧାନ ପ୍ରଣୟନ ସଭା’କୁ ଧାରା (୨) ଅନୁଯାୟୀ ରାଜ୍ୟ ବିଧାନସଭା ଭାବେ ବିବେଚନା କରାଯିବ।

Share