Categories: ଜାତୀୟ

ରାଷ୍ଟ୍ରପତି ରେସ୍‌ରେ ଶରଦଙ୍କ ନାଁ

ନୂଆଦିଲ୍ଲୀ,୬।୧: ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୨୦୨୨ରେ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ନିଜ ନିଜର ଆଶାୟୀ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ଏବେଠାରୁ ଯୋଜନା କରୁଛନ୍ତି। ତେବେ ଏହି ରେସ୍‌ରେ ନେଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ନାଁ ମଧ୍ୟ ରହିଛି। ଏହାକୁ ଏନ୍‌ସିପି ଏମ୍‌ପି ମାଜିଦ ମେମନ ମଧ୍ୟ ସମର୍ଥନ କରିଛନ୍ତି। ପାଓ୍ବାରଙ୍କୁ ରାଷ୍ଟ୍ରପତି କରିବା ପାଇଁ ସମର୍ଥନ ଯୋଗାଡ କରିବା ଲାଗି ଉଦ୍ୟମ କରାଯାଉଛି ବୋଲି ମାଜିଦ କହିଛନ୍ତି। ଅପରପକ୍ଷେ ମହାରାଷ୍ଟ୍ରରେ ଏନ୍‌ସିପି, କଂଗ୍ରେସ ଓ ଶିବସେନା ମେଣ୍ଟକୁ ନେଇ ସରକାର ଗଢ଼ିବା ପାଇଁ ପାଓ୍ବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏବେ ଦଳ ତାଙ୍କୁ ବଡ଼ ଦାୟିତ୍ୱ ଦେବା ପାଇଁ ବିଚାର କରୁଛି। ଆଉ ଏଥିପାଇଁ ପ୍ରଥମେ ତାଙ୍କ ନାମକୁ ଶିବସେନା ସୁପାରିଶ କରିଥିବା ଜଣାପଡ଼ିଛି। ସୋମବାର ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ୨୦୨୨ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ଏକତ୍ରିତ ହୋଇ ପାଓ୍ବାରଙ୍କ ଉପରେ ବିଚାର କରିବା ଉଚିତ। ପାଓ୍ବାର ଦେଶର ସବୁଠାରୁ ବରିଷ୍ଠ ନେତା, ତାଙ୍କର ପ୍ରଶାସନିକ ଅନୁଭବ ଓ ରାଜନୀତି କ୍ଷେତ୍ରରେ ତୀକ୍ଷ୍ଣ ବୁଦ୍ଧି ପାଇଁ ପାଓ୍ବାରଙ୍କୁ ସାମ୍ବିଧାନିକ ମୁଖ୍ୟ ହେବା ଉଚିତ ବୋଲି ସଞ୍ଜୟ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ୨୦୨୨ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ପ୍ରାର୍ଥୀ ଚୟନ କରିବା ଲାଗି ଶିବସେନାର ବହୁନେତା ଆମ ନିକଟରେ ରହିଥିବେ। ଖୁବ୍‌ଶୀଘ୍ର ଏହା ଉପରେ ଯୋଜନା କରାଯିବ। ପାଓ୍ବାରଙ୍କ ରାଷ୍ଟ୍ରପତି ପାର୍ଥୀତ୍ୱକୁ ନେଇ ସଞ୍ଜୟ ଖୁବ୍‌ଶୀଘ୍ର ପଶ୍ଚିମ ବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ କେରଳର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ। ଏହାଦ୍ୱାରା ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ଗୁରୁତ୍ୱ କମିଯିବ ବୋଲି ଆଶାପୋଷଣ କରାଯାଉଛି।

Share