Advertisement
Categories: ବାଣିଜ୍ୟ

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏହି ଅଣ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିଗୁଡ଼ିକୁ ତୁରନ୍ତ ବିକ୍ରି କରିଦେବା ଲାଗି ସରକାର ସମ୍ପୃକ୍ତ ବିଡ଼ରମାନଙ୍କ ସହ ଆଲୋଚନା ଆରମ୍ଭ କରିଦେଇଛନ୍ତି। ଏହି କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିରୁ ଦୁଇଟି ମାର୍ଗରେ ଦୂରେଇ ଯାଇପାରିବେ। ସେମାନେ ଏହାକୁ ସ୍ପେଶିଆଲ ପର୍ପସ ଭେହିକିଲକୁ ପ୍ରଦାନ କରିପାରିବେ ଅଥବା ସମ୍ପତ୍ତି ବିକ୍ରି ଲବ୍ଧ ଅର୍ଥକୁ ଏସକ୍ରୋ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ। ସୂଚନାଥାଉ କି, କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବାକୁ ଥିବା ୩୫ଟି କେନ୍ଦ୍ରୀୟ ଉଦ୍ୟୋଗକୁ ଚିହ୍ନଟ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଏୟାର ଇଣ୍ଡିଆ, ପଓ୍ବନ ହଂସ, ବିଇଏମ୍‌ଏଲ୍‌, ସ୍କୁଟର୍ସ ଇଣ୍ଡିଆ, ଭାରତ ପମ୍ପସ କମ୍ପ୍ରେସର୍ସ , ଭଦ୍ରାବତୀ, ସେଲ୍‌ ଅଧୀନ ସାଲେମ ଏବଂ ଦୁର୍ଗାପୁର ୟୁନିଟ ରହିଛି। ଏହାଛଡ଼ା ହିନ୍ଦୁସ୍ତାନ ଫ୍ଲୁରୋକାର୍ବନ, ହିନ୍ଦୁସ୍ତାନ ନ୍ୟୁଜପ୍ରିଣ୍ଟ, ଏଚ୍‌ଏଲ୍‌ଏଲ୍‌ ଲାଇଫ କେୟାର, ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ, ବ୍ରିଜ ଆଣ୍ଡ ରୁଫ୍‌ ଇଣ୍ଡିଆ, ଏନଏମଡିସିର ନାଗରନାର ଷ୍ଟିଲ୍‌ ପ୍ଲାଣ୍ଟ, ସିମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଏବଂ ଆଇଟିଡିସି ମଧ୍ୟ ବିକ୍ରି ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share