Categories: ବାଣିଜ୍ୟ

ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଳିବ ୪୦ହଜାର କୋଟି

ନୂଆଦିଲ୍ଲୀ,୫-୬: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୦ ହଜାର କୋଟି ଟଙ୍କା ପୁନଃପୁଞ୍ଜିକରଣ ବାବଦରେ ଦେଇପାରେ। ଋଣ ବିତରଣକୁ ଅଧିକ ସୁଦୃଢ କରିବା ଲାଗି ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଜୁଲାଇ ୫ରେ ଉପସ୍ଥାପିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟରେ ଏ ସମ୍ପର୍କରେ ଘୋଷଣା କରାଯାଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଋଣ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଏଭଳି ଏକ ଯୋଜନା ସମ୍ପର୍କରେ ବିଚାର କରୁଛନ୍ତି। ସେ କହିଛନ୍ତି ଯେ, ଏହି ପୁଞ୍ଜି ଯୋଗୁ ଋଣ ପ୍ରଦାନ ସହଜ ହେବ ଏବଂ କେତେକ ଦୁର୍ବଳ ବ୍ୟାଙ୍କ ନିୟାମକୀୟ ନିୟମ ପାଳନ କରିପାରିବେ। ପ୍ରାୟ ୫ ବ୍ୟାଙ୍କ ଅଦ୍ୟାବଧି ପ୍ରମ୍ପଟ କରେକ୍ଟିଭ ଆକ୍ସନ(ପିସିଏ) ଅଧୀନରେ ରହିଛି। ସରକାର ଗତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ରେକର୍ଡ ୧.୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ।

Share