Categories: ବାଣିଜ୍ୟ

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶାଖା ସ୍ତରରୁ ପରାମର୍ଶ ଗ୍ରହଣ

ନୂଆଦିଲ୍ଲୀ, ୧୯-୮: ପାଞ୍ଚ ବର୍ଷରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଦିଗରେ ବ୍ୟାଙ୍କଗୁଡିକର ଯୋଗଦାନ ତଥା ଆଗାମୀ କାର୍ଯ୍ୟପନ୍ଥା ନେଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ସେମାନଙ୍କ ଶାଖା ସ୍ତରରୁ ପରାମର୍ଶ ଗ୍ରହଣ କରିଛି। ସାରା ଦେଶରେ ଚଳିତ ମାସ ୧୭ ଏବଂ ୧୮ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କ ପରାମର୍ଶ ଗ୍ରହଣ କରିଛନ୍ତି। ବ୍ୟାଙ୍କିଙ୍ଗ କ୍ଷେତ୍ରର ଅଭିବୃଦ୍ଧି ଲାଗି ଶାଖା ସ୍ତରରୁ ପରାମର୍ଶ ଗ୍ରହଣ ଦ୍ୱାରା ଏକ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଅର୍ଥ ମନ୍ତ୍ରଣାଳୟର ଆର୍ଥତ୍କ ସେବା ବିଭାଗ ପକ୍ଷରୁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ରହିଥିଲା। ଉତ୍ପାଦନଶୀଳ କ୍ଷେତ୍ରଗୁଡିକୁ ଅଧିକ ଋଣ ଯୋଗାଣ ଦ୍ୱାରା ଅଭିବୃଦ୍ଧି ଧାରାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ଷ୍ଟେଟ ବ୍ୟାଙ୍କ ଏହାର ୧୭ ସର୍କଲର ୫୦୨ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛି। ଏଥିରେ ପ୍ରାୟ ୧୫୦୦୦ ଅଧିକାରୀ ଯୋଗ ଦେଇଥିଲେ। ଶାଖା ସ୍ତରରୁ ଗ୍ରହଣ କରାଯାଇଥିବା ପ୍ରସ୍ତାବକୁ ରାଜ୍ୟ ସ୍ତର ବ୍ୟାଙ୍କର୍ସ କମିଟି ବୈଠକରେ ଆଲୋଚନା କରାଯିବ ବୋଲି ଏସ୍‌ବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପକ୍ଷରୁ ଏହି କାର୍ଯ୍ୟକ୍ରମ ସାରା ଦେଶରେ ଆୟୋଜିତ ହୋଇଥିବା ଜଣାପଡିଛି।

Share