Categories: ବାଣିଜ୍ୟ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୨୭-୧୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବ୍ୟାଙ୍କଗୁଡିକର ଆର୍ଥତ୍କ ପରଫରମାନ୍ସ ଏବଂ ବାଣିଜ୍ୟ ଅଭିବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରାଯିବ। ଚାହିଦା ବଢାଇବା ଦିଗରେ ବ୍ୟାଙ୍କିଙ୍ଗ କ୍ଷେତ୍ର ଏକ ପ୍ରମୁଖ ଯୋଗଦାନ ରଖୁଥିବାରୁ ଏହାକୁ ସରକାର ପ୍ରାଥମିକତା ସହ ନେଉଛନ୍ତି। ୨୦୨୦-୨୧ ଆର୍ଥତ୍କ ବର୍ଷର ସାଧାରଣ ବଜେଟ ଆସିବାକୁ ଥିବା ବେଳେ ଏହାର ଅବ୍ୟବହିତ ଆଗରୁ ଅର୍ଥମନ୍ତ୍ରୀ ସୀତାରାମନ ବ୍ୟାଙ୍କର ଏମ୍‌ଡି ତଥା ସିଇଓଙ୍କୁ ଭେଟୁଥିବା ଜଣାପଡିଛି। ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ଏବଂ ଅଣଏନ୍‌ସିଏଲ୍‌ଟି ପ୍ରକ୍ରିୟାରେ ଅନାଦାୟ ଋଣ ଅସୁଲି ବ୍ୟବସ୍ଥା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ରେପୋ ରେଟ୍‌ ହ୍ରାସ ହେବା ପରେ ବ୍ୟାଙ୍କଗୁଡିକ ଏହାର ଲାଭ ଭଲ ଭାବେ ଗ୍ରାହକଙ୍କୁ ଦେଇ ନଥିବା ଯୋଗୁ ଏହା ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ଅନୁମାନ କରାଯାଇଛି।

Share