Categories: ଜାତୀୟ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୀଲା ଦୀକ୍ଷିତଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯାଇଛି। ଦିଲ୍ଲୀର ଯମୁନା ନଦୀ କୂଳରେ ଥିବା ନିଗମ ବୋଧ ଘାଟରେ ପଞ୍ଚଭୂତରେ ଲିନ ହୋଇଛି ତାଙ୍କ ମର ଶରୀର। ରବିବାର ସକାଳେ ଦିଲ୍ଲୀରେ ଥିବା କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ସମ୍ମାନ ଜଣାଇବା ପରେ ତାଙ୍କ ମର ଶରୀରକୁ ଦିଲ୍ଲୀ ନିଜାମୁଦ୍ଦିନସ୍ଥିତ ତାଙ୍କ ଘରକୁ ନିଆଯାଇଥିଲା। ଏହାପରେ ଅପରାହ୍ନ ପ୍ରାୟ ୩ଟା ୪୦ ମିନିଟରେ ତାଙ୍କୁ ନିଗମ ବୋଧ ଘାଟ ଅଭିମୁଖେ ଏକ ସରକାରୀ ଗାଡିରେ ଧଳା ରଙ୍ଗର ଫୁଲରେ ସଜାଯାଇ ଶୋଭାଯାତ୍ରାରେ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସୂଚନାଯୋଗ୍ୟ, ଶନିବାର ଅପରାହ୍ନ ୩ଟା ୫୫ରେ ଦିଲ୍ଲୀର ଫୋଟିସ ଏସକର୍ଟସ୍‌ ହାର୍ଟ ଇନଷ୍ଟିଚ୍ୟୁଟରେ ୮୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ହୃଦରୋଗରେ ପୀଡିତ ଥିବା ଶୀଲା ଶନିବାର ସକାଳୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Share