ରାସଗୋବିନ୍ଦପୁରରେ ଥମୁନି ହାତୀ ଉପଦ୍ରବ

ରାସଗୋବିନ୍ଦପୁର,୧୪।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳରେ ଏବେ ଧାନ ଅମଳ ଚାଲିଥିବା ବେଳେ ଝାଡଖଣ୍ଡରୁ ଆସିଥିବା ଶତାଧିକ ହାତୀ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ସାରୁମଳା, ନାକିଚୁଆ, ଅମରଦା, ନଳଗଜା, ଭୋଦୁଆଶୋଳ ପ୍ରଭୃତି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ହାତୀପଲରେ ଅଧିକାଂଶ ଛୋଟଛୋଟ ହାତୀ ଥିବାରୁ ସେମାନଙ୍କୁ ଘଉଡାଇବାରେ ବନବିଭାଗ କର୍ତ୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡୁଛି। ସ୍ଥାନୀୟ ଜଙ୍ଗଲରେ ଦିନତମାମ ହାତୀ ପଲ ରହୁଥିବା ବେଳେ ଅପରାହ୍ନରେ ଚାଷଜମି ଏବଂ ଗ୍ରାମଭିମୁଖୀ ହେଉଥିବା ଦେଖିବାକୁ ମିଳିଛି। ଗୁରୁବାର ରାତିରେ ୨୫ରୁ ଊର୍ଦ୍ଧ୍ୱ ହାତୀ ସାରୁମଳା ଗ୍ରାମରେ ପ୍ରବେଶ କରି ଦୁଲିମୁର୍ମୁ ଓ କ୍ଷେତ୍ରମୋହନ ମୁୁର୍ମୁଙ୍କ ଘର ଭାଙ୍ଗିବା ସହିତ ଖଳାରେ ଥିବା ଧାନ ଖାଇ ନଷ୍ଟ କରିଦେଇଛନ୍ତି। ସେହିପରି ବେତନଟୀ ଥାନା ଅନ୍ତର୍ଗତ ଭାଲିଆ ଗ୍ରାମର ସୁବୋଧ ମହାନ୍ତ ଅପରାହ୍ନରେ ବସ୍ତା-ଖୁଣ୍ଟା ମୁଖ୍ୟ ରାସ୍ତାରେ ଆସୁଥିବା ବେଳେ ବେତନାସିଆ ମୁଖ୍ୟରାସ୍ତା ଉପରେ ହାତୀ ହାବୁଡରେ ପଡ଼ିଯାଇଥିଲେ। ଜୀବନ ବିକଳରେ ବାଇକ୍‌ ଛାଡି ସେଠାରୁ ସେ ଦୌଡି ପଳାଇଥିଲେ। ହାତୀପଲରେ ଥିବା ଏକ ଦନ୍ତା ତାଙ୍କ ବାଇକ୍‌କୁ କଚାଡି ଭାଙ୍ଗିରୁଜି ଦେଇଥିଲା। ଫଳରେ ସନ୍ଧ୍ୟା ସମୟରେ ଉକ୍ତ ରାସ୍ତାରେ ଯାତାୟତ କରିବାକୁ ଲୋକେ ଭୟ କରୁଛନ୍ତି। ସେହିପରି ହାତୀପଲ ବିଲରେ ପଶି ଧାନନଷ୍ଟ କରୁଥିବା ବେଳେ ଭୋଦୁଆଶୋଳ ଗ୍ରାମବାସୀ ହାତୀ ଘଉଡାଇବାକୁ ବନବିଭାଗକୁ ନିବେଦନ କରିଥିଲେ। ବନବିଭାଗ କର୍ତ୍ତୃପକ୍ଷ ମଶାଲ ଜାଳି ହାତୀ ଘଉଡାଇବାକୁ ଯାଉଥିବା ବେଳେ ନିଆଁ ଲାଗି ଧାନକ୍ଷେତ ଜଳିଯିବାରୁ ବନବିଭାଗ ଓ ସାଧାରଣ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ଦୀର୍ଘବର୍ଷ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ସ୍ଥାୟୀ ପ୍ରତିକାର ଦିଗରେ ସରକାର ଗୁରୁତ୍ୱ ଦେଉ ନ ଥିବାରୁ ହାତୀ ସମସ୍ୟା ଏବେ ମୁଖ୍ୟସମସ୍ୟା ଭାବେ ମୁଣ୍ଡ ଟେକିଛି।