Categories: ବାଣିଜ୍ୟ

ରାସନ କାର୍ଡଧାରୀଙ୍କୁ ମିଳିପାରେ ୧ କେଜି ଚିନି

ନୂଆଦିଲ୍ଲୀ,୪-୬: କେନ୍ଦ୍ର ସରକାର ସାର୍ବଜନୀନ ବିତରଣ ପ୍ରଣାଳୀ ଅର୍ଥାତ ରାସନ କାର୍ଡ ଜରିଆରେ ଶସ୍ତା ଦରରେ ୧୬.୩ କୋଟି ଅତିରିକ୍ତ ପରିବାରଙ୍କୁ ୧ କେଜି ଚିନି ଉପଲବ୍ଧ କରିପାରେ। ଏନେଇ ବିଚାର ଚାଲିଥିବା ଜଣାପଡିଛି। ଏହାଦ୍ୱାରା ସରକାରୀ କୋଷାଗାର ଉପରେ ୪,୭୨୭ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। କାରଣ ମୌସୁମୀ ପୂର୍ବରୁ ଭଣ୍ଡାର କମାଇବା ସରକାରଙ୍କ ଉଦ୍ଦେଶ୍ୟ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଖାଦ୍ୟ ମନ୍ତ୍ରଣାଳୟର ପ୍ରସ୍ତାବ ଉପରେ ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଆଲୋଚନା ହୋଇଛି। ତେବେ ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଚିନି ଛଡ଼ା ରାସନ କାର୍ଡଧାରୀଙ୍କୁ ଚାଉଳ ଓ ଗହମ ଭଳି ଖାଦ୍ୟଶସ୍ୟ ଅତିରିକ୍ତ ଭାବେ ବାଣ୍ଟିବାକୁ ନେଇ ଆଲୋଚନା ହୋଇଛି। ବର୍ତ୍ତମାନ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅନ୍ତର୍ଗତରେ ୨.୫ କୋଟି ପରିବାରଙ୍କୁ ୧୩.୫ ଟଙ୍କା ଦରରେ ଚିନି ଦିଆଯାଉଛି। ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୮୦ କୋଟି ଲୋକଙ୍କୁ ପ୍ରତି ମାସରେ ୫ କେଜି ଚାଉଳ ବା ଗହମ ଯୋଗାଇ ଦିଆଯାଉଛି। ଗହମ କେଜି ୨ ଟଙ୍କାରେ ଓ ଚାଉଳ ୩ ଟଙ୍କାରେ ବିକ୍ରି କରାଯାଉଛି। ରାଷ୍ଟ୍ରାୟତ୍ତ ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଫ୍‌ସିଆଇ) ଗୋଦାମରେ ଏବେ ଖାଦ୍ୟଶସ୍ୟ ଭରପୁର ରହିଛି। ମୌସୁମୀ ପରେ ନୂଆ ଉତ୍ପାଦିତ ଖାଦ୍ୟପଦାର୍ଥ ରଖିବା ଲାଗି ସ୍ଥାନର ଅଭାବ ରହିଛି। ଏହି କାରଣରୁ ଅତିରିକ୍ତ ବଣ୍ଟନ ମାଧ୍ୟମରେ ଗୋଦାମ ଖାଲି କରିବାର ପ୍ରୟାସ କରାଯିବ।

Share