ରାସ୍ତାକଡ଼ରୁ ଉଦ୍ଧାର ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୧।୮: ଖୋର୍ଦ୍ଧା ସଦର ଥାନା ଗୁଡୁମ ବେରୁଁଆ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଅଜଣା ବ୍ୟକ୍ତିଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ତାଙ୍କ ବୟସ ୩୫ରୁ ୪୫ ବର୍ଷ ମଧ୍ୟରେ ବୋଲି ଅନୁମାନ କରାଯାଉଛି। ତେବେ ତାଙ୍କର ପରିଚୟ ମିଳିପାରି ନ ଥିବା ବେଳେ କେହି ହତ୍ୟା କରି ଫିଙ୍ଗିଛନ୍ତି ଅଥବା ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଡାଳତୋଳା ହସ୍ପିଟାଲରୁ ମଙ୍ଗଳବାର ବିଳମ୍ବିତ ରାତିରେ ରୋଗୀ ନେଇ ଆସୁଥିବାବେଳେ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ। ସେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।