ରାସ୍ତାକଡ଼ରୁ ବୃଦ୍ଧାଙ୍କୁ ଉଦ୍ଧାର କଲା ପ୍ରଶାସନ

ସଜନାଗଡ଼,୧୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ ଅଫିସ୍‌ଠାରୁ ମାତ୍ର ୫୦୦ ମିଟର ଦୂର ବିଚ୍‌ ଦୁର୍ଗାମଣ୍ଡପ ରାସ୍ତାକଡ଼ରେ ୨ଦିନ ଧରି ଏକ ନିରାଶ୍ରୟା ବୃଦ୍ଧା ଖାଇବାକୁ ନ ପାଇ ପଡିରହିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ଶନିବାର ତାଙ୍କୁ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ହେଉଛନ୍ତି ନୀଳଗିରି ଏନ୍‌ଏସିର ୬ନଂ. ୱାର୍ଡ଼ର ପମା ମୁର୍ମୁ (୮୦)।
ତାଙ୍କ ପରିବାରରେ କେହି ନ ଥିବାରୁ ସେ ଘୁଷୁରି ଘୁଷୁରି ଦୋକାନ ବୁଲି ଭିକ୍ଷାବୃତ୍ତିକୁ ଆପଣାଇଥିଲେ। ସେ ପାରାଲିସସ୍‌ ରୋଗରେ ଆକ୍ରାନ୍ତ ହେବା ପରେ ୨ଦିନ ହେଲଶ ପଡି ରହିଥିଲେ। କାହ୍ନୁ ନାମକ ଜଣେ ହୋଟେଲ ମାଲିକ ପ୍ରତିଦିନ ଖାଦ୍ୟ ଆଣି ପମାଙ୍କୁ ଦେଇଥାନ୍ତି। ଗଣମାଧ୍ୟମର ପ୍ରତିନିଧିମାନେ ଏହା ଜାଣିବା ପରେ ନୀଳଗିରି ଉପ-ଜିଲାପାଳଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ନୀଳଗିରି ବିଡିଓ ରାମଦାସ ଟୁଡୁ, ଏନ୍‌ଏସିର ନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକ, ଏନ୍‌ଏସିର ଅମିନ ମନୋଜ ଦାସ ପହଞ୍ଚି ବୃଦ୍ଧାଙ୍କୁ ତୁରନ୍ତ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସରକାରୀ ସ୍ତରରେ ଯାହା ସହାୟତା ଯୋଗାଇ ଦିଆଯାଇପାରିବ ତାହା କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।