ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭୁବନ, ୪।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପତି(୪୦)ଙ୍କ ମୃତଦେହକୁ ପୋଲିସ ମଙ୍ଗଳବାର ରାସ୍ତାପାର୍ଶ୍ୱରୁ ଉଦ୍ଧାର କରିଛି। ମୃତକଙ୍କ ବାପା ବ୍ରଜକିଶୋର ପତି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୋଲିସ ସନ୍ଧାନୀ କୁକୁର ଏବଂ ଫୋରେନ୍‌ସିକ ଟିମ୍‌ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆ ଭୁବନଠାରୁ ବୁଦ୍ଧେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ (ନଂ. ଓଡି ୦୬ ଏ୨୧୦୭) ଏବଂ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା କେତେଜଣ ପଥଚାରୀ ଦେଖି ପୋଲିସକୁ ସୂଚନା ଦେଇଥିଲେ। ବାଇକ୍‌ ନମ୍ବର ଯାଞ୍ଚ କରିବା ପରେ ଏହା ମୃତକଙ୍କ ସ୍ତ୍ରୀଙ୍କ ନାମରେ ରେଜିଷ୍ଟ୍ରେଶନ୍‌ ହୋଇଥିବା ଜଣାପଡ଼ିଥିଲା। ଛାନ୍‌ଭିନ୍‌ ପରେ ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଚିହ୍ନଟ କରିଥିଲେ।
ବ୍ରଜକିଶୋରଙ୍କ କହିବା କଥା, ସୋମବାର ସକାଳେ ଘରୁ ଯିବାପରେ ଜ୍ଞାନରଞ୍ଜନ ଆଉ ଫେରି ନ ଥିଲେ। ପୋଲିସଠାରୁ ସୂଚନା ପାଇ ଘଟଣାସ୍ଥଳକୁ ଯିବା ବେଳକୁ ପୁଅର ମୃତଦେହ ରାସ୍ତାକଡ଼ରେ ପଡ଼ିଥିଲା। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ମୃତଦେହ ନିକଟରେ ବାଇକ୍‌ ପଡ଼ିଥିବାବେଳେ ଘଟଣାସ୍ଥଳରୁ ଦେଢ଼କିମି ଦୂରରେ ବାଇକ୍‌ ଚାବି, ଚପଲ ପଡ଼ିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି ସେ ପୋଲିସର ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ଏସ୍‌ପି ଅନୁପମା ଜେମ୍‌ସ, କାମାକ୍ଷାନଗର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ ପହଞ୍ଚତ୍ ତଦନ୍ତ କରିଛନ୍ତି। ଏ ନେଇ ନଂ. ୨୦୨/୧୯, ଦଫା ୩୦୨ରେ ମାମଲା ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କେଉଁ କାରଣରୁ ଜ୍ଞାନରଞ୍ଜନଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ଥାନାଧିକାରୀ କହିଛନ୍ତି।