Categories: ମେଟ୍ରୋ

ରାସ୍ତାକଡ଼ରେ ସନ୍ତାନ ପ୍ରସବ ଘଟଣା; ଏସ୍‌ସିବି ମେଡିକାଲରେ ଭର୍ତ୍ତି ହେଲେ ମହିଳା

କଟକ ଅଫିସ, ୭ା୧୧: ରାସ୍ତା କଡ଼ରେ ସନ୍ତାନ ପ୍ରସବ କରିଥିବା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଏସ୍‌ସିବି ମେଡ଼ିକାଲ ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ୍‌ ଆସୋସିଏଶନ(ଓଲ୍‌ସା) ପକ୍ଷରୁ ସମ୍ପୃକ୍ତ ମହିଳାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଉଛି। ମହିଳାଙ୍କ ଘର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଧୀନ ଦଶିପୁରରେ ବୋଲି ଜଣାପଡ଼ିଛି। ଏହି ମହିଳାଙ୍କର ୧୨ ବର୍ଷର ଝିଅ ଓ ସ୍ବାମୀ ରହିଥିବାବେଳେ ପାରିବାରିକ ଅଶାନ୍ତି କାରଣରୁ ସେ ପ୍ରାୟ ୨ବର୍ଷ ହେବ ଘରୁ ଚାଲି ଆସିଥିବା ଓଲ୍‌ସା ପକ୍ଷରୁ କୁହାଯାଇଛି। ମହିଳା ଓ ଚୌଦ୍ୱାର ସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ଶିଶୁ କନ୍ୟାଙ୍କ ଯତ୍ନ ଓଲ୍‌ସା ପକ୍ଷରୁ ନିଆଯାଉଛି। ପ୍ରକାଶଥାଉ କି, ଜଗତ୍‌ପୁର ଥାନା ଅଧୀନ ପୀରବଜାର ଅଞ୍ଚଳରେ ସୋମବାର ନବଜାତକ ଶିଶୁକୁ ନେଇ ବୁଲୁଥିବା ଏହି ମହିଳାଙ୍କୁ ଓଲ୍‌ସା ଉଦ୍ଧାର କରିଥିଲା। ପରେ ମହିଳାଙ୍କୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେବା ପରେ ସମ୍ପୃକ୍ତା ମହିଳା ଝିଅକୁ ନେବା ପାଇଁ ଦୁଇଦିନ ହେବ ଜଗତ୍‌ପୁର ଥାନାକୁ ଯାଉଛନ୍ତି। ତେବେ ସେ ମାନସିକସ୍ତରରେ ସୁସ୍ଥ ନ ଥିବା ଜଣାପଡ଼ିବା ପରେ ବୁଧବାର ଜଗତ୍‌ପୁର ପୋଲିସ ସହାୟତାରେ ଓଲ୍‌ସା ଓ ସିଡବ୍ଲ୍ୟୁସିର କର୍ମକର୍ତ୍ତା ମହିଳାଙ୍କୁ ଆଣି ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

Share