ରାସ୍ତାରୁ ଖୋଳା ଚାଲିଛି ନିମ୍ନମାନର ପିଚୁ

ଭଦ୍ରକ ଅଫିସ,୭।୩: ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୨) ଅଧୀନ ସଦର ବ୍ଲକର ସରଗଡ଼ିଆ-ଚନ୍ଦନପୁର ରାସ୍ତାକାମ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ଉଠିଥିଲା। ଏହି ନିମ୍ନମାନର ରାସ୍ତାକାର୍ଯ୍ୟକୁ ନେଇ ଜଣେ ସାମାଜିକ କର୍ମୀ ଟୁଇଟ୍‌ କରିବା ପରେ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ନିକଟରେ କ୍ଷେତ୍ରୀୟ ତଦନ୍ତ କରାଯାଇ ରାସ୍ତାର ମାନ ଯାଞ୍ଚ କରାଯାଇଥିଲା। ଅଧିକାରୀମାନଙ୍କ ଯାଞ୍ଚ ପରେ ପ୍ରାୟ ୫ଶହ ମିଟର ପିଚୁ ରାସ୍ତା ଏବେ ଶ୍ରମିକମାନଙ୍କ ଦ୍ୱାରା ଖୋଳା ଚାଲିଛି। ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଉପରିସ୍ଥ ଅଧିକାରୀମାନେ ଠିକାଦାରଙ୍କ ନିଜସ୍ବ ଟଙ୍କାରେ ଏହି ରାସ୍ତା ଖୋଳାଯାଇ ପୁନଃ ପିଚୁ ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ହୋଇଥିବା କଂକ୍ରିଟ ରାସ୍ତା ଫାଟି ଯାଇଥିବାରୁ ଉକ୍ତ ରାସ୍ତା କାମ ମଧ୍ୟ କରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।