ରାସ୍ତାରେ ଅସଦାଚରଣ କରି ଛେଚା ଖାଇଲେ କନ୍‌ଷ୍ଟେବଳ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ରାଜଧାନୀରେ ଖାକି ବାବୁଙ୍କୁ ପ୍ରେମ ରୋଗ ଛାଡୁନି। ମାସକ ଭିତରେ ୩ ପୋଲିସ କର୍ମଚାରୀ ପ୍ରେମ ଓ ବଳାତ୍କାର ମାମଲାରେ ଗିରଫ ହୋଇଥିବାବେଳେ ରବିବାର ରାଜଧାନୀ ରାଜରାସ୍ତାରେ ଆଉ ଏକ ଖାକି କାର୍‌ନାମା ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ହାତ ଧରି ଅସଦାଚରଣ କରିବା ଜଣେ ପୋଲିସ ବାବୁଙ୍କ ପାଇଁ ମହଙ୍ଗା ପଡିଛି। ଲୋକଙ୍କ ମାଡ଼ ସହ ଅସଦାଚରଣର ଶିକାର ଯୁବତୀଙ୍କ ଯୋତା ଓ ଗୋଇଠା ମାଡ଼ରେ ତାଙ୍କର ପ୍ରେମ ନିଶା ଉତୁରି ଯାଇଛି। ରବିବାର କ୍ୟାପିଟାଲ ଥାନା ଅନ୍ତର୍ଗତ କଳ୍ପନା ଛକ ନିକଟରେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ (ଏସ୍‌ଏସ୍‌ବି)ର ଜଣେ କନ୍‌ଷ୍ଟେବଳ ଏପରି କାଣ୍ଡ ଘଟାଇଛନ୍ତି। ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ୟାପିଟାଲ ଥାନା ପୋଲିସ ସମ୍ପୃକ୍ତ କନ୍‌ଷ୍ଟେବଳଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା କରୁଛି। ତାଙ୍କ ଘର ଗଞ୍ଜାମ ଗୋଳନ୍ଥରା ଅଞ୍ଚଳରେ ହୋଇଥିବାବେଳେ ସେ ଏଠାରେ ଏସ୍‌ଏସ୍‌ବି କ୍ୟାମ୍ପରେ ରହୁଥିବା ପୋଲିସ ସୂଚନା ଦେଇଛି। ତେବେ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ଯୁବତୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିବା କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।

Share