ରାସ୍ତାରେ ଧାନବସ୍ତା ରଖି ଅବରୋଧ

ସଜନାଗଡ଼,୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଅନ୍ତର୍ଗତ ଶେରଗଡ଼-ଉଦଳା ୧୯ନମ୍ବର ରାଜ୍ୟ ରାଜପଥ ଗରଡ଼ିହି ଛକଠାରେ ୪ଦଫା ଦାବି ନେଇ ଓଡ଼ିଶା କୃଷକ ସଭା ପକ୍ଷରୁ ରାସ୍ତାରେ ଧାନ ବସ୍ତା ରଖି ଶନିବାର ଦୀର୍ଘ ସମୟ ଧରି ଅବରୋଧ କରାଯାଇଥିଲା। ଫଳରେ ଉଭୟ ପାର୍ଶ୍ୱରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଚାଷୀମାନଙ୍କର ଦାବି ସରକାରୀ ଭାବେ ସମସ୍ତ ପଞ୍ଚାୟତରେ ସରକାରୀ ଧାନକ୍ରୟ କେନ୍ଦ୍ର ଖୋଲିବା, କ୍ଷୁଦ୍ର ଓ ବଡ଼ ଚାଷୀମାନଙ୍କୁ ଧାନକ୍ରୟ ପାଇଁ ଟୋକନ ବ୍ୟବସ୍ଥା, ଚଳିତବର୍ଷ ପୂର୍ବରୁ ଆଗ୍ରାହ୍ୟ ଟୋକନକୁ ଗ୍ରହଣଯୋଗ୍ୟ କରିବା ଏବଂ ଭାଗଚାଷୀଙ୍କଠାରୁ ଧାନକ୍ରୟ କରାଯିବା ନେଇ ରାସ୍ତାରୋକୋ କରାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ନୀଳଗିରି ଉପଜିଲାପାଳ ହରିଶ୍‌ ଚନ୍ଦ୍ର ଜେନା, ଏଆର୍‌ସିଏସ୍‌, ନୀଳଗିରି ଯୋଗାଣ ଅଧିକାରୀ, ନୀଳଗିରି ଓ ମାଟିଆଳି ଲ୍ୟାମ୍ପର ଏମ୍‌ଡି ରାସ୍ତାରୋକୋ ସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କଲା ପରେ ୪ଟି ଦାବିକୁ ଅଧିକାରୀମାନେ ଗ୍ରହଣ କରିନେଇଥିଲେ। ଏହାପରେ କୃଷକ ସଂଘ ପକ୍ଷରୁ ରାସ୍ତାରୋକୋ ହଟାଯାଇଥିଲା। ଏହି ରାସ୍ତାରୋକୋରେ ଯୋଗାନନ୍ଦ ଦାସ, ବିଜୟ ପାତ୍ର, ରାମଚନ୍ଦ୍ର ସ, ଲକ୍ଷ୍ମୀଧର ସାହୁ, ମକରନ୍ଦ ମଣ୍ଡଳ, ପୁରସ୍ତମ ବେହେରା, ସୁରେଶ ନାୟକ, ସତ୍ୟଜିତ୍‌ ସାହୁଙ୍କ ନେତୃ୍‌ତ୍ୱରେ ଶତାଧିକ ଚାଷୀ ସାମିଲ୍‌ ଥିଲେ।