Advertisement

ରାସ୍ତାରେ ଶିଶୁପୁତ୍ର ଜନ୍ମଦେଲେ ମହିଳା, ଚିକିତ୍ସା ଅବହେଳା ପ୍ରତିବାଦରେ ରାସ୍ତାରୋକୋ

ରଘୁନାଥପୁର, ୭। ୬ (ଡି.ଏନ.ଏ.) : ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଜଣେ ଗର୍ଭବତୀଙ୍କୁ ଚିକିତ୍ସା ସୁବିଧା ନ ମିଳିବାରୁ ସେ ଘରକୁ ଫେରିବା ବାଟରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ତେଣୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରି ସ୍ଥାନୀୟ ଲୋକେ ଗୁରୁବାର ସନ୍ଧ୍ୟା ୬ଟାରୁ କଟକ-ପାରାଦୀପ ରାସ୍ତାକୁ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଅବରୋଧ କରିଥିଲେ। ପ୍ରକାଶ ଯେ, ରଘୁନାଥପୁର ବ୍ଲକ ଚାନ୍ଦପୁର ଗଁାର ବୁଦ୍ଧିଆ ବେସ୍ରାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ପ୍ରସବ ଯନ୍ତ୍ରଣା ଯୋଗୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଅପରାହ୍ନ ୨ଟାରେ ଡାକ୍ତର କାଜଲ ପ୍ରଧାନ, ଗାୟତ୍ରୀ ସାଇଲକ୍ଷ୍ମୀ ଏବଂ ନର୍ସ ପୁଷ୍ପାଞ୍ଜଳି ଜେନା ଡ୍ୟୁଟିରେ ଥିଲେ। ତେବେ ଡାକ୍ତରଙ୍କୁ ନ ପାଇ ବୁଦ୍ଧିଆ ତାଙ୍କ ସ୍ତ୍ରୀକୁ ନର୍ସଙ୍କ ପାଖକୁ ନେଇ ଯାଇଥିଲେ। ସେଠାରେ ନର୍ସ ଡାକ୍ତରଙ୍କୁ ନ ଡାକି ଗର୍ଭବତୀଙ୍କୁ ଜଗତ୍‌ସିଂହପୁର ନେଇଯିବାକୁ କହିଥିଲେ। ତେବେ ଅର୍ଥ ଅଭାବରୁ ବୁଦ୍ଧିଆ ତାଙ୍କ ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବା ବାଟରେ ରାସ୍ତାରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ୧୦୨ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା ଯୋଗାଇ ଦିଆଯାଇଛି। ଏ ସମ୍ପର୍କରେ ମୁଖ୍ୟ ଚିକିତ୍ସାଧୀକାରୀ ସୁକାନ୍ତ କୁମାର ଦଳାଇଙ୍କୁ ପଚାରିବାରେ ସେ ଏକ ମିଟିଂରେ ଥିବା କହିଥିଲେ। ରାତି ସାଢେ ୧୦ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share