ରାସ୍ତାର ସ୍ଥାୟିତ୍ୱ ଖାଉଛି ବାଲିବୋଝେଇ ଭାରିଯାନ

କୁନ୍ଦୁରା,୧୭ା୩(ଡି.ଏନ୍‌.ଏ.) ସଡ଼କ ହେଉଛି ବିକାଶର ମାଧ୍ୟମ। ଗମନାଗମନ ସହଜ ସୁଲଭ କରିବା ପାଇଁ ସରକାର ରାସ୍ତା ନିର୍ମାଣ କରିବା ସହ ତାହାର ରକ୍ଷଣାବେକ୍ଷଣ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ କ୍ଷମତାଠାରୁ ଅଧିକ ବାଲି, ପଥରବୋଝେଇ ଭାରୀଯାନ ଚଳାଚଳ କରିବା ଯୋଗୁ ରାସ୍ତାର ସ୍ଥାୟିତ୍ୱ ନଷ୍ଟ ହେବା ସହ ତାହା ଯାତାୟନ ଅନୁପଯୋଗୀ ହେବାରେ ଲାଗିଛି। କୋରାପୁଟ ଜିଲା ଅଧୀନରେ ଥିବା ପୂର୍ତ୍ତ ବିଭାଗର ଜୟପୁରରୁ କୁନ୍ଦୁରା ଭାୟା ଫାମ୍ପୁଣି ଯାଏ ୨୫ କିମି ରାସ୍ତା ୨୦୧୮-୧୯ରେ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଏହି ରାସ୍ତାରେ ମାତ୍ରାଧିକ କ୍ଷମତାର ବାଲିବୋଝେଇ ହାଇଓ୍ବା (୩୦ ଟନ୍‌ ବିଶିଷ୍ଟ) ଦିନରାତି ପରିବହନ କରିବା ଯୋଗୁ ତାହା ନଷ୍ଟ ହେବାକୁ ବସିଛି।
କୁନ୍ଦୁରା ବ୍ଲକରେ ୩ଟି ପ୍ରମୁଖ ନଦୀ କୋଲାବ, କୁର୍ଲୁ ଓ ବିରି ରହିଥିବା ବେଳେ ଏଠାରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି। ପୂର୍ବ ପଞ୍ଚାୟତ ସମିତି ବୈଠକରେ ଜିଲା ବିଜେଡି ଉପସଭାପତି ସଞ୍ଜୟ ସାହୁ ଅନୁମତି ନ ଥିବା ଭାରୀଯାନ ଚଳାଚଳ ବନ୍ଦ କରିବା ପାଇଁ ତହସିଲଦାର ଆୟୁବ ମଣ୍ଡଳଙ୍କୁ ଜଣାଇଥିଲେ। କିନ୍ତୁ ପୂର୍ବାପେକ୍ଷା କମିବା ବଦଳରେ ଅଧିକ ଗାଡ଼ି ବାଲି ଚାଲାଣ କରୁଛି। ବ୍ଲକରେ ଗତ ଦିନରେ ଯେଉଁ ସବୁ ବାଲିଉତ୍ସ ନିଲାମ ହୋଇଥିଲା, ସେଥିରୁ ଅଧିକାଂଶର ଟେଣ୍ଡର ଅବଧି ସରିଥିଲେ ମଧ୍ୟ ବଳପୂର୍ବକ ସେଠାରୁ ବାଲି ଚାଲାଣ କରାଯାଉଛି। ଏଠାକାର ବାଲି କୋରାପୁଟ, ସେମିଳିଗୁଡ଼ା, ସୁନାବେଡ଼ା ଅଞ୍ଚଳକୁ ପ୍ରତିଦିନ ଚାଲାଣ ହେଉଛି। କିଛି ଆନ୍ଧ୍ରପ୍ରଦେଶ ନମ୍ବର ଥିବା ଗାଡ଼ିରେ ମଧ୍ୟ ବାଲି ଚାଲାଣ କରାଯାଉଛି। ଜୟପୁର ଉପଜିଲାପାଳ ଲୋକନାଥ ଦଳବେହେରା ବେଆଇନ ବାଲି ଚାଲାଣ କରୁଥିବା କିଛି ଭାରୀଯାନକୁ ଜରିମାନା ମଧ୍ୟ କରିଛନ୍ତି। ଜୟପୁରରୁ କୁନ୍ଦୁରା ଆସିବା ସମୟରେ ଜୟନଗର, ଅନ୍ତା ଓ ବାୟାଗୁଡ଼ା ଯାଏ ରାସ୍ତା କଦର୍ଯ୍ୟ ହୋଇପଡ଼ିଛି। କୁନ୍ଦୁରା ତହସିଲ, ବ୍ଲକ ଓ ଥାନା ସମ୍ମୁଖରେ କ୍ଷମତାଠାରୁ ଅଧିକ ବାଲି, ପଥର ନେଇ ଭାରୀଯାନ ଚଳାଚଳ କରୁଥିଲେ ମଧ୍ୟ ସମସ୍ତେ ନିରବ ରହିଛନ୍ତି। ନିୟମିତ ଏହାର ଯାଞ୍ଚ ହେଲେ ବେଆଇନ ବାଲି ଚାଲାଣ ଓ ଭାରୀଯାନ ଚଳାଚଳକୁ ରୋକାଯାଇପାରିବ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।

Share