Categories: କନ୍ଧମାଳ

ରାସ୍ତା ଅବରୋଧ କରି ୨୩ ଗିରଫ : ନିଖୋଜଙ୍କ ପତ୍ତା ମିଳୁ ନ ଥିବାରୁ କରିଥିଲେ ଆନ୍ଦୋଳନ

ରାଇକିଆ,୪ା୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଜଣେ ଯୁବକ ଗତ ମାସ ୧୫ ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଯୁବକଙ୍କ ସମ୍ପର୍କରେ ପତ୍ତା ଲଗାଇବାରେ ପୋଲିସ ସହଯୋଗ କରୁ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହା ପ୍ରତିବାଦରେ ରାସ୍ତା ଅବରୋଧ କରାଯାଇଥିଲା। ଆଇନଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ୨୩ ଜଣଙ୍କୁ ପୋଲିସ ଗିରଫ କରିଛି।
ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକ(୨୨) ଗତ ୧୫ ତାରିଖରୁ ନିଖୋଜ ଅଛନ୍ତି। ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ସହ ବନ୍ଧୁବାନ୍ଧବଙ୍କ ଘରେ ପଚାରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିଲାନି। ତେଣୁ ୨୫ ତାରିଖରେ ଏ ନେଇ ରାଇକିଆ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା ରୁଜୁ କରିଥିଲା। ହେଲେ ଶୁଭେନ୍ଦୁଙ୍କୁ ଖୋଜି ବାହାର କରିବାରେ ପୋଲିସ ଅବହେଳା କରୁଥିବା ଦର୍ଶାଇ ପରିବାର ଲୋକଙ୍କ ସମେତ ସାହିବାସିନ୍ଦା ସୋମବାର ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ। ସକାଳ ପ୍ରାୟ ୮ଟାରୁ ୧୧ଟା ପର୍ଯ୍ୟନ୍ତ ରାଇକିଆ ଥାନା ସମ୍ମୁଖ ରାଇକିଆ-ବାଲିଗୁଡ଼ା-ଜି.ଉଦୟଗିରି ରାସ୍ତା ଅବରୋଧ କରାଯିବାରୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା ା ଖବରପାଇ ଜି.ଉଦୟଗିରି ଏସଡ଼ିପିଓ ଜୟକୃଷ୍ଣ ବେହେରା, ଟିକାବାଲି ଥାନାଧିକାରୀ ରେବତୀ ଶବର, ସାରଙ୍ଗଡ଼ ଥାନାଧିକାରୀ ଅନିତା କିଡ଼ୋ, ରାଇକିଆ ଥାନାଧିକାରୀ ସମୀର ରାଉତ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଶୁଭେନ୍ଦୁଙ୍କ ସମ୍ପର୍କରେ ସୂଚନା ନ ଦେଲେ ରାସ୍ତାରୁ ଉଠିବୁନି ବୋଲି ସେମାନେ ଜିଦ୍‌ ଧରିଥିଲେ। ଏଣୁ ଥାନା ପରିସରରେ ଆଲୋଚନା କରାଯିବ ବୋଲି କୁହାଯିବାରୁ ରାସ୍ତାରୋକୋ ହଟିଥିଲା। ପରେ ୨୩ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଥିଲା। ନିଖୋଜ ଘଟଣାର ତଦନ୍ତ ସମ୍ପର୍କରେ ବୁଝାଇବା ସତ୍ତ୍ୱେ ରାସ୍ତାରୋକୋ ନ ହଟିବା, ଆଇନଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଜୟକୃଷ୍ଣ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଶୁଭେନ୍ଦୁ ନିଖୋଜ ଘଟଣାରେ ଯେଉଁମାନଙ୍କୁ ସନ୍ଦେହ କରାଯାଉଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସ ବିଳମ୍ବ କରୁଥିବା ନେଇ ରାସ୍ତା ଅବରୋଧ କରାଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି।