ରାସ୍ତା କାମ କଲେ ବିଧାୟକ

ପାପଡାହାଣ୍ଡି,୨୧।୭(ଡି.ଏନ୍‌.ଏ): ରାସ୍ତାରେ ପଡି ରହିଥିଲା ମୋରମ ଗଦା। ୟାତାୟାତରେ ସମସ୍ୟା ହେଉଥିଲା। ଲୋକଙ୍କ ଅସନ୍ତୋଷ ପରେ ବି ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିଲା । ଶେଷରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ହାତରେ କୋଡ଼ି ଧରି ମୋରମ ସମତୁଲ କରିଥିଲେ। ବିଧାୟକଙ୍କ ଏପରି ରାସ୍ତା କାମ କରିବାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ଠାରୁ ଜବାଗୁଡା ମାଟି ରାସ୍ତାରେ ଦୀର୍ଘ ଦିନ ହେଲା ମୋରମ ଗଦା ହୋଇ ପଡିଥିଲା। ଶନିବାର ବିଧାୟକ ଏହି ରାସ୍ତାରେ ଯାଉଥିବା ବେଳେ ଏହା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ଦୀର୍ଘ ଦିନ ହେଲା ଏପରି ମୋରମ ଗଦା ହୋଇଥିବା ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ। ବିଧାୟକ ଭାବେ ଡାବୁଗାଁ ନିର୍ବାଚନ ମଣ୍ଡଳୀରୁ ନୂତନ ଭାବେ ନିର୍ବାଚିତ ହେବା ପରେ ସେ ଏହି ଅଞ୍ଚଳ ଗସ୍ତ କରିଥିଲେ। ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ନିଜେ ରାସ୍ତା ଉପରୁ କିଛି ମୋରମକୁ କୋଡ଼ିରେ କାଢି ସମତୁଳ କରିଥିଲେ ।

Share