ରାସ୍ତା ଜାମ୍‌ : ଠିକ୍‌ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରୁନାହାନ୍ତି ମାଟ୍ରିକ୍‌ ଛାତ୍ରୀଛାତ୍ର

ଆନନ୍ଦପୁର,୨୨।୨(ସ୍ବ.ପ୍ର.): ମାଟ୍ରିକ୍‌ ପରୀକ୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲାପାଳ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ିଗୁଡିକର ଯାତାୟାତକୁ ଭୋର ୫ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଥିଲେ। ମାତ୍ର ଏହି ପ୍ରତିବନ୍ଧକ କେବଳ ନାମକୁମାତ୍ର କାଗଜପତ୍ରରେ ସୀମିତ ହୋଇ ରହିଯାଇଛି। ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ର ଥିବା ବେଲବାହାଳିର କୁଣ୍ଡଳାଇ ହାଇସ୍କୁଲକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଦର୍ଶାଯାଇ ୧୪୪ ଧାରା ଲାଗୁ କରାଯାଇଛି। ଏହା ସତ୍ତ୍ୱେ ୨୦ନଂ. ଜାତୀୟ ରାଜପଥକୁ ଲାଗି କରି ରହିଥିବା ଏହି କେନ୍ଦ୍ର ଦେଇ ଭାରିଯାନ ଅନବରତ ଚାଲୁ ରହିଛି। ଏଣୁ ପରୀକ୍ଷାର୍ଥୀମାନେ ଠିକ୍‌ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରୁ ନ ଥିବାରୁ ଶନିବାର ଇଂଲିଶ୍‌ ପରୀକ୍ଷା ଦିନ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଜିଲାପାଳ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଅଭିଭାବକମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।