ରାସ୍ତା ଜାମ୍‌ ଯୋଗୁ ଭିଡରେ ଫସିଲା ଆମ୍ବୁଲାନ୍ସ: ୫ ବର୍ଷର ଶିଶୁପୁତ୍ର ମୃତ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଟ୍ରାଫିକ୍‌ ଜାମ୍‌ ପାଇଁ ଜଣେ ଶିଶୁପୁତ୍ରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ରାଜଭବନ ଛକରୁ ପଟିଆ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ଭିଡ଼ ରହିଥିବାରୁ ଶିଶୁପୁତ୍ର ଥିବା ଆମ୍ବୁଲାନ୍ସଟି ଭିଡ଼ରେ ଫସିଯାଇଥିଲା। ଫଳରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, ଉକ୍ତି ୫ ବର୍ଷର ଶିଶୁପୁତ୍ରଙ୍କ ପ୍ରବଳ ବାନ୍ତି ହେବାରୁ ପରିବାରଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ ବଡ଼ ମେଡିକାଲକୁ ରେଫର କରିଥିଲେ। ହେଲେ କଟକ ଦୂର ବାଟ ହୋଇଥିବାରୁ ପରିବାରଲୋକେ ପୁଅଙ୍କୁ ଏସ୍‌ସିବିକୁ ନ ନେଇ ଭୁବନେଶ୍ୱର ପଟିଆରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଉଥିଲେ। ହେଲେ ରାଜଭବନ ଛକଟାରୁ ପଟିଆ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ଭିଡ ଥିବାରୁ ଆମ୍ବୁଲାନ୍ସଟି ଫସିଯାଇଥିଲା। ଏପରିକି ପରିବାରଲୋକେ ଆମ୍ବୁଲାନ୍ସରୁ ଓହ୍ଲାଇ ରାସ୍ତା ସଫା କରିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇପାରି ନ ଥିଲେ। ରାସ୍ତାରେ ଅନ୍ୟ ଗାଡ଼ି ଚାଳକମାନେ ମଧ୍ୟ ଆମ୍ବୁଲାନ୍ସକୁ ବାଟ ଛାଡ଼ି ନ ଥିଲେ। ଫଳରେ ହସ୍ପିଟାଲରେ ପହଞ୍ଚିବା ଲାଗି ଆମ୍ବୁଲାନ୍ସକୁ ଏକ ଘଣ୍ଟା ସମୟ ଲାଗିଥିଲା। ଶିଶୁପୁତ୍ରଟି ହସ୍ପିଟାଲରେ ପହଞ୍ଚିବା ଆଗରୁ ଅଧା ବାଟରେ ପ୍ରାଣ ହରାଇଲା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି।

Share