ରାସ୍ତା ଜାମ ନେଲା ଗର୍ଭବତୀଙ୍କ ଜୀବନ

ଲହୁଣୀପଡା, ୧୨।୧ (ଡି.ଏନ.ଏ)- କଲେଇପୋଷ- ବରସୁଆଁ ରାସ୍ତା ନିର୍ମାଣ ଚାଲିଥିବା ବେଳେ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରି ଚାଲିଛି। ଯାହାକି ଭାରିଯାନ ରାସ୍ତାରେ ରହି ଜାମ ଥାଏ। ବଉରକେଲା ଗ୍ରାମର ବୁଧୁଆ ମୁଣ୍ଡାଙ୍କ ସ୍ତ୍ରୀ ପାର୍ବତୀ (୨୫) ଗର୍ଭବତୀ ଥିଲେ। ପାର୍ବତୀ ପ୍ରସବ କଷ୍ଟ ପାଇବାରୁ ବୁଧୁଆ ଏକ ବୋଲେରୋ ଯୋଗେ ଆଶା କର୍ମୀଙ୍କୁ ନେଇ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଲହୁଣୀପଡା ଡାକ୍ତରଖାନାକୁ ଆସୁଥିଲେ। କିନ୍ତୁ ବୁଧୁଆ ରାସ୍ତା ଜାମରେ ଫସି ଯାଇଥିଲେ। ରାସ୍ତା ଏତେ ଜାମ ଥିଲା ଯାହାକି ଗାଡି ଆଗକୁ ଆସି ପାରି ନ ଥିଲା। ଫଲରେ ରାସ୍ତାରେ ଗାଡି ଭିତରେ ପାର୍ବତୀ ପ୍ରାୟ ସାଢ଼େ ୬ଟା ବେଳେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ କୌଣସି ଚିକିତ୍ସା ନ ପାଇ ସେହି ଗାଡି ଭିତରେ ରହିଥିବା ବେଳେ ଡାକ୍ତରଖାନାରେ ରାତି ପ୍ରାୟ ୮ଟାରେ ପହଞ୍ଚତ୍ଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଉଛି। ରାସ୍ତା ଜାମରେ ଫସି ନ ଥିଲେ ହୁଏତ ପାର୍ବତୀ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥାନ୍ତେ। ସେ ଜନ୍ମ ନେଇଥିବା କନ୍ୟା ସନ୍ତାନ ସୁସ୍ଥଥିବା ଜାଣିବାକୁ ମିଳିଛି।

Share