ରାୟଗଡ଼ା ଅଫିସ,୨୧।୧୨: ରାୟଗଡ଼ା ଜିଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଗ୍ରାମରେ ରାସ୍ତା ନ ଥିବାରୁ ଜଣେ ଗର୍ଭବତୀଙ୍କୁ ଶନିବାର ଚଲାଇ ଚଲାଇ ୩ କିଲୋମିଟର ନେବା ପରେ ଝାବତୀ ନଦୀ ପାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରରୁ ମାତ୍ର ୫ କିଲୋମିଟର ଦୂର ସିରିପାଡ଼ି ଗ୍ରାମରେ। ଏହି ଗ୍ରାମର କମଲେଶ ହୁଇକାଙ୍କ ସ୍ତ୍ରୀ ସୁନୁ ହୁଇକାଙ୍କ ଅସହ୍ୟ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ସମେତ ଗ୍ରାମବାସୀ ବୋହି ବୋହି ପାଦଚଲା ରାସ୍ତାରେ ଆଣିବା ପରେ ଝାବତୀ ନଦୀ ପାର କରାଇଥିଲେ। ନଦୀ ଅପରପାର୍ଶ୍ୱରେ ଅଙ୍ଗନୱାଡ଼ି ଦିଦି ଓ ଆଶାକର୍ମୀ ଅପେକ୍ଷା କରି ରହିଥିଲେ। ପରେ ଦିଦିମାନଙ୍କ ଦ୍ୱାରା ଗର୍ଭବତୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଏକ କନ୍ୟା ସନ୍ତାନ ହୋଇଛି।