ରାସ୍ତା ପାଇଁ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର

କୁନ୍ଦୁରା,୨୮ା୨(ଡି.ଏନ୍‌.ଏ.) – କୁନ୍ଦୁରା ବ୍ଳକ ଅଧୀନସ୍ଥ ଡଙ୍ଗରପାଉଁଶି ପଞ୍ଚାୟତ ସଦର ଓ ଫୁପୁଗାଁ ପଞ୍ଚାୟତ ସଦର ରାସ୍ତା ବର୍ତ୍ତମାନ ଏତେ ଦୟନୀୟ ଅବସ୍ଥାରେ ପହଞ୍ଚତ୍ଛି ଯେ, କେହି ବି ସେହି ରାସ୍ତା ଦେଇ ଯିବାକୁ ଇଚ୍ଛା କରୁନାହାନ୍ତି। ୨୦୧୮-୧୯ରେ ଡଙ୍ଗରପାଉଁଶୀ ପଞ୍ଚାୟତ ସଦର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନୂତନ ଭାବେ ତିଆରି ହୋଇଛି। କିନ୍ତୁ ପ୍ରତିଦିନ କ୍ଷମତାଠାରୁ ଅଧିକ ବାଲି ଚାଲାଣ କରୁଥିବା ଭାରିଯାନ ଚଳାଚଳ ଯୋଗୁ ୫ କିମି ରାସ୍ତା ନଷ୍ଟ ହୋଇଛି। ଏହି ରାସ୍ତା ଉପରେ ଡଙ୍ଗରପାଉଁଶି, ଭେଜାହାଣ୍ଡି, ବେଢ଼ାପାଉଁଶି, ମୁଣ୍ଡିଗୁଡ଼ା, ଦୋରାଗୁଡ଼ା ଓ ଜିରାଗୁଡ଼ା ଗ୍ରାମବାସୀ ନିର୍ଭର କରୁଛନ୍ତି। ଭାରିଯାନରେ ୧୦ ଚକିଆ ହାଇଓ୍ବା ଯିବା ଆସିବା କରିବା ଫଳରେ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଓଜନ ଚାପରେ ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତା ଦୁଇପଟେ ଖାଲ ହୋଇଗଲାଣି। ଜିଲା କିମ୍ବା ଉପଖଣ୍ଡର ଅଧିକାରୀ ଏହି ରାସ୍ତା ଦେଇ ଡଙ୍ଗରପାଉଁଶି କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ ସମସ୍ତେ ନିରବ। ସଦରରୁ ଦେଢ଼ କିମି ଦୂର କୋଲାବ ନଦୀରେ ବାଲି ଉତ୍ସ ପାଇଁ ଟେଣ୍ଡର କରାଯାଇଥିବା ବେଳେ ସେଠାରେ ଯେଉଁ ଗାଡ଼ିଗୁଡିକୁ ବ୍ୟବହାର ହେବା କଥା, ତା’ ବଦଳରେ ଭାରିଯାନ ବ୍ୟବହାର କରାଯାଉଛି। ଫଳରେ ରାସ୍ତାର ଏଭଳି ଦୟନୀୟ ଅବସ୍ଥା ହୋଇଛି। ଗତ ଦିନରେ ମନ୍ତ୍ରୀ ପଦ୍ମିନୀ ଦିଆନ ଏକ କାର୍ଯ୍ୟକ୍ରମରେ ଆସିଥିବା ବେଳେ ଏହି ରାସ୍ତା ଦେଖି ବିରକ୍ତ ହୋଇଥିଲେ। ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଏହି ରାସ୍ତା ଦେଖି ସାରିବା ପରେ ଅତି ଶୀଘ୍ର ମରାମତି ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ୩ ମାସ ପୂରିଲାଣି। କିନ୍ତୁ କିଛି ଫଳ ହୋଇନାହିଁ। ଫୁପୁଗାଁ ପଞ୍ଚାୟତକୁ ୨୦୦୮ରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ତାହାର ମରାମତି ଏଯାବତ୍‌ ହୋଇପାରିନାହିଁ। ୧୨ ବର୍ଷ ତଳର ରାସ୍ତା ଏବେ କେଉଁ ଅବସ୍ଥାରେ ଥିବା, ତାହା ସହଜରେ ଅନୁମେୟ । ଫୁପୁଗାଁ ଠାରୁ ଡଙ୍ଗରପାଉଁସୀ ଛକ ପର୍ଯ୍ୟନ୍ତ ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ରହିଥିବା ବେଳେ ଏହା ଉପରେ ଫୁପୁଗାଁଁ ଚନ୍ଦାମୁଣ୍ଡିଗୁଡ଼ା, କରଣଗୁଡ଼ା, ଯୁବାପାତ୍ରପୁଟ ଗ୍ରାମବାସୀ ନିର୍ଭର କରନ୍ତି । ଏହାକୁ ଗତ ଦିନରେ ଜିଲାପାଳଙ୍କ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ କୁନ୍ଦୁରାରେ ଅଭିଯୋଗ କରାଯାଇଥିବା ବେଳେ ଏହା ଅତିଶୀଘ୍ର ହେବ ବୋଲି ବିଭାଗୀୟ ଯନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ସବୁ ପାଣିର ଗାର ପାଲଟିଛି ।

Share