ଅନୁଗୋଳ ଅଫିସ, ୧୧।୧୧: ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁରା ନାଏକ(୧୯)ଙ୍କ ମୃତଦେହ ସାକସିଙ୍ଗା ରାସ୍ତା ପାର୍ଶ୍ୱରୁ ଶୁକ୍ରବାର ଅନୁଗୋଳ ପୋଲିସ ଉଦ୍ଧାର କରିବା ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରିବାର ଲୋକଙ୍କ ହତ୍ୟା ଅଭିଯୋଗକୁ ଆଧାର କରି ଅଧିକ ଖୋଳତାଡ଼ ଚଳାଇଥିବା ପୋଲିସ ଇତିମଧ୍ୟରେ ପରିବାର ଓ କେତେଜଣ ସମ୍ପର୍କୀୟଙ୍କୁ ପଚରାଉଚରା କରିସାରିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିସାରିଥିବାରୁ ତଦନ୍ତର ଦିଗ ମଧ୍ୟ ସ୍ଥିର ହୋଇସାରିଛି। ତେଣୁ ଖୁବ୍ଶୀଘ୍ର ଘଟଣା ଉପରୁ ପୋଲିସ ପରଦା ଉଠାଇବ ବୋଲି ସୂଚନା ମିଳିଛି।
ପ୍ରକାଶ ଯେ, ଭୁବନେଶ୍ୱରରେ ଏକ କମ୍ପାନୀରେ ମେଶିନ୍ ଅପରେଟର ଭାବେ କାର୍ଯ୍ୟ କରୁଥିବା ଗୁରଙ୍ଗ ଗ୍ରାମର ତ୍ରିପୁରା ଗତ ୪ ତାରିଖରେ ନିଜ ମୋଟରସାଇକେଲ ସଜାଡ଼ିବା ସହ ଅନ୍ୟ କେତେକ କାର୍ଯ୍ୟରେ ଅନୁଗୋଳ ଯାଉଥିବା କଥା ଘରେ କହିଥିଲେ। ତେବେ ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ପ୍ରଥମେ ବନ୍ତଳା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। କିନ୍ତୁ ଗତ ୮ ତାରିଖରେ ସାକସିଙ୍ଗା-ଘୁଷାପାଳ ରାସ୍ତା ପାର୍ଶ୍ୱରୁ ତ୍ରିପୁରାଙ୍କ ଗଳିତ ମୃତଦେହ ମିଳିବା ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିଲା। ମୃତ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ପୋଲିସ ତଦନ୍ତକୁ ଦିଗ ମିଳୁ ନ ଥିଲା। ତଥାପି ପରିବାର ଓ ସମ୍ପର୍କୀୟଙ୍କୁ ପୋଲିସ ପଚରାଉଚରା ଚଳାଇଥିଲା। ଏବେ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ନିକଟରେ ପହଞ୍ଚି ସାରିଥିବାରୁ ସେହି ଆଧାରରେ ତଦନ୍ତ ଆଗକୁ ବଢ଼ିଛି। କେଉଁ ପରିସ୍ଥିତିରେ ତ୍ରିପୁରାଙ୍କ ମୃତ୍ୟୁ ହେଲା ଓ ତାଙ୍କ ବାଇକ୍ ଏବେ କେଉଁଠି ତାହା ଜାଣିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା ବେଳେ କରିଥିବା ପଚରାଉଚରାରୁ ଏ ନେଇ କିଛି ତଥ୍ୟ ମିଳିଛି। ଏହାଛଡ଼ା ପରିବାର ଲୋକେ କରିଥିବା ହତ୍ୟା ଅଭିଯୋଗ ମଧ୍ୟ ଦୃଢ଼ ହୋଇଛି। ତେଣୁ ଖୁବ୍ଶୀଘ୍ର ପୂରା ଘଟଣା ଉପରୁ ପୋଲିସ ପରଦା ହଟାଇବ ବୋଲି ଜଣାପଡ଼ିଛି।