ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ଡମ୍ପର: ୬ ବର୍ଷ ନାବାଳିକାଙ୍କ ମୃତ୍ୟୁ

ବସ୍ତା, ୩୧।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ. ଜାତୀୟ ରାଜପଥ ଅମର୍ଦାରୋଡ ଛକ ନିକଟରେ ବୁଧବାର ସକାଳେ ଡମ୍ପର ଧକ୍କାରେ ଜଣେ ୬ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ବାଗଲଡ଼ିହା ଗ୍ରାମର ବିପ୍ଲବ ଗାଣଙ୍କ ଝିଅ ଖୁସି(୬)।
ପ୍ରକାଶ ଯେ, ଖୁସି ମା’ଙ୍କ ସହ ୬୦ ନଂ. ଜାତୀୟ ରାଜପଥରେ ଏକ ବସ୍‌ରୁ ଓହ୍ଲାଇଥିଲେ। ସେଠାରୁ ଅମର୍ଦାରୋଡ ଛକକୁ ଯାଉଥିବାବେଳେ ଡମ୍ପର (ଓଡି୨୨କେ-୦୫୨୫) ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଖୁସିଙ୍କୁ ଉଦ୍ଧାରକରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଥିଲା। ଖବର ପାଇ ସ୍ଥାନୀୟ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡମ୍ପରକୁ ଜବତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ରାସ୍ତା ଅବରୋଧ ହଟିଥିଲା।