Categories: ଜାତୀୟ

ରାସ୍ତା ମଝିରେ ବାଘ

ହାଇଦ୍ରାବାଦ, ୧୫।୫: ପ୍ରାଣଘାତୀ କରୋନା କବଳରୁ ବର୍ତ୍ତିବା ଲାଗି ସରକାର ଦେଶବ୍ୟାପୀ ଲକ୍‌ଡାଉନ ଲାଗୁ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଘଟଣା ଦେଖିବାକୁ ମିଳୁଛି। ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଜାତୀୟ ରାଜପଥ-୭ ମଝିରେ ଏକ କଲରାପତରିଆ ବାଘ ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଜନଗହଳି ନ ଥିବାରୁ ସେ ଏହାର ସୁଯୋଗ ନେଇ ନିର୍ଭୟରେ ସେଠାରେ ଶୋଇଛି। କେତେଜଣ ସ୍ଥାନୀୟ ବ୍ୟକ୍ତି ବାଘଟିକୁ ଦେଖିଥିବା ପ୍ରକାଶ କରିଛନ୍ତି। ସେହିବାଟ ଦେଇ ଯାଉଥିବା ଜଣେ ଗାଡ଼ିଚାଳକ ଏହାର ଭିଡିଓ ଶୁଟ୍‌କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ସେହିଭଳି ଗୋଲକୁଣ୍ଡାର ନୂରାନୀ ମସ୍‌ଜିଦ ନିକଟରେ ଏକ ଗଧିଆକୁ ଦେଖିବାକୁ ମିଳିଛି। ଏଭଳି ଘଟଣା ଜଣାପଡ଼ିବା ପରେ ଉଦ୍ଧାରକାରୀଙ୍କୁ ନେଇ ପୋଲିସ ଓ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି। ବାଘକୁ ଉଦ୍ଧାର କରାଯିବ ବୋଲି ସମ୍‌ସାବାଦ ଡିସିପି ପ୍ରକାଶ ରେଡ୍ଡୀ କହିଛନ୍ତି।

Share