ରାସ୍ତା ମରାମତି କଲେ ଯୁବଗୋଷ୍ଠୀ

ଭଦ୍ରକ ଅଫିସ, ୧।୬- ସରକାର ଗମନାଗମନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। କିନ୍ତୁ ଦୀପ ତଳ ଅନ୍ଧାର ଭଳି ଭଦ୍ରକ ବ୍ଲକ ମୁଖ୍ୟାଳୟଠାରୁ ୫ କି.ମି ଦୂର ଚରମ୍ପା ପଞ୍ଚାୟତ ଝାଟିଆ ଜାନୁମଞ୍ଜ ଗାଁ ରାସ୍ତା ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି। ଦୀର୍ଘ ୬ବର୍ଷ ହେଲା ଏହି ରାସ୍ତାର ପୁନରୁଦ୍ଧାର ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଗ୍ରାମବାସୀ ନୟାନ୍ତ ହେଲେଣି। ମାଟିରାସ୍ତା ହୋଇଥିବାରୁ ବର୍ଷା ହେଲେ ୧୫ ଦିନ ପର୍ଯ୍ୟନ୍ତ ଖାଲଖମାରେ ପାଣି ରହି ଯାତାୟାତରେ ବାଧା ଉପୁଜେ। ରବିବାର ଗାଁର କେତେକ ଉତ୍ସାହୀ ଯୁବକ ପ୍ରଶାସନ ଉପରୁ ଭରସା ତୁଟାଇ ନିଜେ ନିଜ ଗାଁ ରାସ୍ତା ମରାମତି କରିଛନ୍ତି। ନିଜ ପକେଟ୍‌ ଖର୍ଚ୍ଚରୁ ଚାନ୍ଦା କରି ଡଷ୍ଟ ଆଣି ଖାଲଖମା ଭର୍ତ୍ତି କରି ରାସ୍ତାକୁ ଯାତାୟାତ ଉପଯୋଗୀ କରିଛନ୍ତି। ଏହି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଯେ,ଏହି ରାସ୍ତା ଦେଇ ପ୍ରତିଦିନ ୫ ହଜାରରୁ ଅଧିକ ଲୋକ ଯିବା ଆସିବା କରିଥାନ୍ତି।