ରାସ୍ତା ମରାମତି ନ ହେଲେ ଆନ୍ଦୋଳନ : ଚେତାବନୀ ଦେଲା ଯୁବ କଂଗ୍ରେସ

ଜଳେଶ୍ୱର, ୬।୧୨(ସ୍ବ.ପ୍ର./ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆର ୧୪ଟି ପଞ୍ଚାୟତର ଲାଇଫ ଲାଇନ୍‌ କୁହାଯାଉଥିବା ଜଳେଶ୍ୱର-ଓଲମରା ଶାନ୍ତିପୁର ରୋଡ଼ର ଦୁରବସ୍ଥା ବଦଳୁ ନାହିଁ। ୩ମାସ ପୂର୍ବରୁ ଜିଲାପାଳ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଆସନ୍ତା ୧୫ ଦିନ ମଧ୍ୟରେ ମରାମତି ନ ହେଲେ ଆନ୍ଦୋଳନ କରାଯିବ ବୋଲି ଗୁରୁବାର ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ଏକ ଖବରଦାତା ସମ୍ମିଳନୀରେ ଯୁବ କଂଗ୍ରେର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଜଳେଶ୍ୱର ଜଗନ୍ନାଥ ସଡ଼କ ବାଘାବାଳିଠାରୁ ବାହାରିଥିବା ୨୨ କି.ମି. ଶାନ୍ତିପୁର ରୋଡ଼ରେ ରାଇବଣିଆବାସୀ ପ୍ରତିଦିନ ଜଳେଶ୍ୱର ଓ ଅନ୍ୟାନ୍ୟ ସ୍ଥାନକୁ ଯିବାକୁ ଏହି ରାସ୍ତା ଏକମାତ୍ର ବିକଳ୍ପ। ବିଶେଷକରି ସ୍ବାସ୍ଥ୍ୟକେନ୍ଦ୍ର, କୋର୍ଟ କଚେରୀ, ବ୍ୟାଙ୍କ, ଟ୍ରେଜେରୀ, ତହସିଲ, ବ୍ଲକ, ଶିକ୍ଷା, ସବ୍‌ରେଜିଷ୍ଟ୍ର, ଜଳସେଚନ, ପାନୀୟ ଜଳ ଲାଗି ଯାତାୟାତ କରିଥାନ୍ତି। ଶିଖରପୁରଠାରେ ନିର୍ମାଣ ହୋଇଥିବା ସୁବର୍ଣ୍ଣରେଖା ସେତୁ ଉପର ଦେଇ ୧୦ଟନର ମାଲବାହୀ ଯାନ ଯାତାୟାତ କରିବା ଲେଖାଥିବା ବେଳେ ୨୦ଟନ୍‌ରୁ ଊର୍ଦ୍ଧ୍ୱ ଓଜନର ବାଲି, କୋଇଲା, ପଥର ଓ ଚିପ୍ସ ଗାଡିଗୁଡିକ ଯାତାଯାତ କରୁଛି। ଏ ସମ୍ପର୍କରେ ଜଳେଶ୍ୱର ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଗତ ଅଗଷ୍ଟ ୨୭ ଓ ନଭେମ୍ବର ୧୦ ତାରିଖରେ ଜିଲାପାଳଙ୍କୁ ଭେଟି ଲିଖିତ ବିବୃତିରେ ଅବଗତ କରାଇଥିଲେ। ହେଲେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଯୁବକଂଗ୍ରେସ ଏହି ଚେତାବନୀ ଦେଇଛି। ଖବରଦାତା ସମ୍ମିଳନୀରେ ଜଳେଶ୍ୱର ବିଧାନସଭା ମଣ୍ଡଳର ସଭାପତି ଗିରିଜା ଶଙ୍କର ଦାସ, ପୂର୍ବତନ ସଭାପତି ହରିଶଙ୍କର ଜେନା, ଜିଲା ସମ୍ପାଦକ ସୁଶାନ୍ତ ସେଠୀ, ଜଳେଶ୍ୱର ବ୍ଲକ ସମ୍ପାଦକ ସପନ ସାମଲ, ଜିଲା ପୂର୍ବତନ ସମ୍ପାଦକ ହେମନ୍ତ ଗିରି ଓ ଜିଲା ଉପସଭାପତି ସବ୍ୟସାଚୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share