Categories: କନ୍ଧମାଳ

ରାସ୍ତା ସଂପ୍ରସାରଣ ପାଇଁ ବେଆଇନ ବ୍ଲାଷ୍ଟିଂ: ପଥର ପଡ଼ି ଘର ଆଜବେଷ୍ଟସ ଭାଙ୍ଗିଲା

ଦାରିଙ୍ଗବାଡି,୧୧ା୧୨(ଡି.ଏନ୍‌.ଏ.)-ଦାରିଙ୍ଗବାଡି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାର୍ଯ୍ୟ ଚାଲିଛି । ତେବେ ଉକ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ପାଇଁ ପୂର୍ବରୁ ସୂଚନା ନ ଦେଇ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଉଛି । କୌଣସି ସୁରକ୍ଷା ବ୍ୟବସ୍ଥା ନ କରି ଏଭଳି ବ୍ଲାଷ୍ଟିଂ କରାଯାଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏପରିକି ପଥର ଛିଟିକି ଗ୍ରାମର ପୀତାମ୍ବର ମଲ୍ଲିକଙ୍କ ଘର ଆଜବେଷ୍ଟସ୍‌ ଭାଙ୍ଗି ଯାଇଥିବା ସେ କହିଛନ୍ତି । ସେହିପରି ବ୍ଲାଷ୍ଟି ଯୋଗୁ ଏକାଧିକ ଲୋକଙ୍କ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବହୁ ଦୂର ପର୍ଯ୍ୟନ୍ତ ଚାଷ ଜମିରେ ଓ ରାସ୍ତାରେ ପଥର ଖଣ୍ଡ ପଡ଼ିରହୁଛି । ପଥର ପଡ଼ିଥିବା ରାସ୍ତାରେ ଯାତାୟାତ ପାଇଁ ଲୋକେ ଭୟ କରୁଛନ୍ତି । ଠିକା କମ୍ପାନୀ ନିଜ ଇଚ୍ଛାରେ ବ୍ଲାଷ୍ଟିଂ କରୁଥିବାରୁ ଜନ ଅସନ୍ତୋଷ ଦେଖାଯାଇଛି । ପୂର୍ବରୁ ଉକ୍ତ ରାସ୍ତାରେ ଏକାଧିକ ବାର ବ୍ଲାଷ୍ଟିଂ କରାଯାଇଥିଲେ ମଧ୍ୟ ପୋଲିସ ନିକଟରେ କୌଣସି ସୂଚନା ନାହିଁ। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ ବୋଲି ଆଇଆଇସି କୌଶିକ ମାଝି କହିଛନ୍ତି। ସୂଚନାଯ୍ୟେ, କନ୍ଦୁବାଡି ଠାରୁ ସିକନବାଡି ୩ କିମି ରାସ୍ତାକୁ ପ୍ରାୟ ୧କୋଟିରୁ ଉର୍ଦ୍ଧ ଟଙ୍କା ବିନିମୟରେ ସଂପ୍ରସାରଣ କରାଯାଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ନିମୁରାମ ତୁଡୁ କହିଛନ୍ତି ।