Categories: ରାଜ୍ୟ

ରାସ୍ତା ସାରା ପଡୁଛି ପାଉଁଶ:ଗାଡ଼ି ଅଟକ, ଉତ୍ତେଜନା

ପରଜଙ୍ଗ,୨୧।୫(ଡି.ଏନ.ଏ.)ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଉଡି ପରିବେଶ ବିଷାକ୍ତ ହେଉଛି। ଏଥିଯୋଗୁ ଯାତାୟାତକାରୀଙ୍କ ସହ ଅଞ୍ଚଳବାସୀ ଅସୁବିଧା ଭୋଗୁଛନ୍ତି। ରାସ୍ତା ନିର୍ମାଣ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥାର ମନମୁଖି କାମ ଯୋଗୁ ଜନସାଧାରଣ ହଇରାଣ ହେଉଥିବାରୁ ସୋମବାର ପରଜଙ୍ଗ ବ୍ୟବସାୟୀ ସଂଘ ପକ୍ଷରୁ ପାଉଁଶ ଗାଡ଼ି ଅଟକାଇ ପରିବହନ ବନ୍ଦ କରାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା।
ସଂଘର ଅଭିଯୋଗ ମୁତାବକ, ରାସ୍ତା ନିର୍ମାଣରେ ବିଷାକ୍ତ ପାଉଁଶ ଗୁଣ୍ଡ ବ୍ୟବହାର କରାଯାଉଛି। ହାଇଓ୍ବା ଆଦି ଭାରିଯାନରେ ଏହା ପରିବହନ ହେଉଛି। ହେଲେ ଅଧିକାଂଶ ଗାଡ଼ିରେ ପାଲ ବନ୍ଧା ହେଉ ନ ଥିବାରୁ ରାସ୍ତା ସାରା ପାଉଁଶ ଉଡୁଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁ ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ବଜାର ମଧ୍ୟରେ ପାଉଁଶ ପଡୁଥିବାରୁ ବ୍ୟବସାୟୀମାନେ ବେପାର ମଧ୍ୟ କରିପାରୁ ନାହାନ୍ତି। ଏ ନେଇ ଅଭିଯୋଗ କରିବା ସତ୍ତ୍ୱେ ବଜାର ମଧ୍ୟରେ ଯାଇଥିବା ରାସ୍ତାରେ ପାଣି ପକାଯାଉ ନ ଥିଲା। ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଆଯାଇ ରାସ୍ତାରେ ପାଣି ଛିଞ୍ଚିବା ଓ ପାଲ ଭିଡି ଗାଡି ଚଳାଚଳ କରିବାକୁ ବ୍ୟବସାୟୀ ସଂଘ ଦାବି କରିଆସୁଥିଲା। ହେଲେ କମ୍ପାନୀ ପକ୍ଷରୁ ଏହାକୁ ଭ୍ରୁକ୍ଷେପ କରାଯାଇ ନ ଥିଲା। ସୋମବାର ବଜାର ମଧ୍ୟରେ ଏକ ପାଉଁଶ ଗାଡିରୁ ପ୍ରବଳ ମାତ୍ରାରେ ପାଉଁଶ ରାସ୍ତାରେ ଖସି ଉଡିବାକୁ ଲାଗିଥିଲା। ବ୍ୟବସାୟୀମାନେ ଉତ୍ତ୍ୟକ୍ତ ହୋଇ ପାଉଁଶ ବୋଝେଇ ହାଇଓ୍ବା ଗାଡ଼ିଗୁଡିକୁ ଅଟକାଇ ଥିଲେ। ପ୍ରତିଦିନ ରାସ୍ତାରେ ପାଣି ପକାଇବା ସହ ପାଉଁଶ ଉଠାଇବା ଓ ଓଭର ଲୋଡ଼ିଂ କରି ନ ଆଣିବାକୁ ଦାବି କରିଥିଲେ। ଦୀର୍ଘ ୩ ଘଣ୍ଟା ପରେ କମ୍ପାନୀ କର୍ତ୍ତୃପକ୍ଷ ବୁଝାଶୁଝା କରିବା ସହ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାଣି ପକାଇବା ଓ ଓଭର ଲୋଡ଼ିଂ କରି ପାଉଁଶ ନ ଆଣିବାକୁ ପ୍ରତିଶ୍ରୁତି ଦେବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

Share