ଅନୁଗୋଳ ଅଫିସ୍, ୧୭।୨: ଅନୁଗୋଳ ବାଳ ସୁଧାର ଗୃହ ନିକଟରେ ପିଡବ୍ଲ୍ୟୁଡି ପକ୍ଷରୁ ମେଡିକାଲ ଯିବାକୁ ରାସ୍ତା ସୂଚନା ଲେଖାଯାଇଥିବା ଫଳକକୁ କେହି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଦୁଇ ଦିନ ତଳେ କେହି ଏହାକୁ ଅଧା ଭାଙ୍ଗି ଦେଇଥିବାବେଳେ ରବିବାର ପୂରା ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଲୋକେ ବାଟ ନ ପାଇ ହଇରାଣ ହେଉଛନ୍ତି। ସୂଚନା ଫଳକ ନ ଥିବାରୁ ଡାକ୍ତରଖାନା ଦେଖି ନ ଥିବା ରୋଗୀ ଲୋକଙ୍କୁ ପଚାରିପଚାରି ଯାଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜନସାଧାରଣଙ୍କ ସୁବିଧା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଯାଇଥିଲେ ହେଁ ଏହି ବୋର୍ଡଗୁଡିକୁ ଭାଙ୍ଗି ଦିଆଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଲୋକେ ଗନ୍ତବ୍ୟ ସ୍ଥଳକୁ ଯିବାକୁ ହେଲେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ବିନୋଦଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ କହିଛନ୍ତି, କ’ଣ ହୋଇଛି ତାଙ୍କ ନିକଟରେ ସୂଚନା ନାହିଁ। ସୋମବାର ଘଟଣାର ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।