Categories: ଖେଳ

ରାହାନେଙ୍କ ବିରଳ ବିଶ୍ୱ ରେକର୍ଡ

ରଞ୍ଚି,୨୨।୧୦- ଭାରତୀୟ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ଏକ ନିଆର ଟେଷ୍ଟ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ଏପର୍ଯ୍ୟନ୍ତ କ୍ୟାରିୟରରେ ୬୧ଟି ଟେଷ୍ଟ ଖେଳିଥିଲେ ମଧ୍ୟ ସେ କେବେ ହେଲେ ରନ୍‌ ଆଉଟ ହୋଇନାହାନ୍ତି। ଟେଷ୍ଟ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ୨୦୦ଟି ପାର୍ଟନରଶିପ୍‌ର ଅଂଶବିଶେଷ ହୋଇଥିଲେ ମଧ୍ୟ ରନ୍‌ ଆଉଟ ହୋଇନାହାନ୍ତି। ଖାଲି ସେତିକି ନୁହଁ ଏହି ପାର୍ଟନରଶିପ୍‌ରେ ତାଙ୍କ ସାଥୀ ବ୍ୟାଟ୍ସମ୍ୟାନମାନେ ରନ୍‌ ଆଉଟ ହୋଇନାହାନ୍ତି। ଏହା ଏକ ବିରଳ ବିଶ୍ୱ ରେକର୍ଡ ସାବ୍ୟସ୍ତ ହୋଇଛି। ଚଳିତ ତୃତୀୟ ଟେଷ୍ଟରେ ରାହାନେ ଓପନର ରୋହିତ ଶର୍ମାଙ୍କ ସହ କ୍ୟାରିୟରର ୨୦୦ ପାର୍ଟନରଶିପ୍‌ କରିଥିଲେ। ସେ ୧୯୨ଟି ବଲ୍‌ର ସମ୍ମୁଖୀନ ହୋଇ ୧୭ ଚୌକା ଓ ୧ ଛକା ସହ ୧୧୫ ରନର ଶତକୀୟ ପାଳି ଖେଳିବା ସହ କ୍ୟାରିୟରର ୧୧ତମ ଟେଷ୍ଟ ଶତକ ହାସଲ କରିଛନ୍ତି।
ପୂର୍ବରୁ କେବଳ ୫ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ୧୦୦ଟି ଇନିଂସ ଖେଳିଥିଲେ ମଧ୍ୟ ରନ୍‌ ଆଉଟ୍‌ ହୋଇନାହାନ୍ତି। ସେମାନେ ହେଲେ କପିଳଦେବ, ମୁଦାସର ନଜର, ପିଟର ମେ, ଗ୍ରେମ୍‌ ହିକ ଓ ରାହାନେ। ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସୟଦ କିରମାନୀ, ମହମ୍ମଦ ଆଝାରୁଦ୍ଦିନ ଓ ଅନିଲ କୁମ୍ବଲେ ପ୍ରତ୍ୟେକ ୭ଥର ରନ୍‌ ଆଉଟ ହୋଇଛନ୍ତି। ରାହୁଲ ଡ୍ରାଭିଡ୍‌ ୧୨ଥର ରନ୍‌ ଆଉଟ ହୋଇଥିବାବେଳେ ନିଜ ସାଥି ବ୍ୟାଟ୍ସମ୍ୟାନଙ୍କୁ ସର୍ବାଧିକଥର ରନ୍‌ ଆଉଟ କରିଛନ୍ତି। ରନ୍‌ ଆଉଟ ପ୍ରତିଶତ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସୟଦ ଅବିଦ ଅଲି ୫୩ଟି ଇନିଂସରୁ ସର୍ବାଧିକ ୬ଥର ରନ୍‌ ଆଉଟ ହୋଇଛନ୍ତି।

Share