ରାହା ଯୋଗାଇଛି କୌଳିକ ବୃତ୍ତି

ସିମୁଳିଆ, ୮ା୧-ଏବେ ବି ରହିଛି ହସ୍ତଶିଳ୍ପର ଚାହିଦା। ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁ ନ ଥିଲେ ମଧ୍ୟ କେତେକ ପରିବାର ଏହି ବୃତ୍ତିକୁ ଆପଣେଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ବାଲେଶ୍ୱର ଜିଲା କନ୍ଦଡା ଅଞ୍ଚଳର ୬ଟି ପରିବାର ବର୍ଷତମାମ ବାଉଁଶରୁ କୁଲା, ବୋଝ, ନାଳିଆ, ଖଇଚଲା, ଟପ, ଝୁଡି ଆଦି ବିଭିନ୍ନ ସରଞ୍ଜାମ ତିଆରି କରି ବିକ୍ରି କରୁଛନ୍ତି। ଏହି ସରଞ୍ଜାମ କିଣିବା ପାଇଁ ସେମାନଙ୍କ ନିକଟରେ ଭଦ୍ରକ, ବାଲେଶ୍ୱର, କଟକ ଆଦି ଅଞ୍ଚଳର ବେପାରୀମାନଙ୍କ ଭିଡ ଲାଗେ। ଏହାବ୍ୟତୀତ ଲୋକମାନଙ୍କର ଅର୍ଡର ମୁତାବକ ସେମାନେ ସରଞ୍ଜାମ ତିଆରି କରନ୍ତି। ଜାଲି, ପାଛିଆ, କୁଲାଗୁଡ଼ିକୁ ସାଇକେଲରେ ବୋଝେଇ କରି ଗାଁ ଗାଁ ବୁଲି ବିକ୍ରି କରି ଥାଆନ୍ତି। ଗାଁକୁ ଗଲେ ତାଙ୍କ ସାମଗ୍ରୀ କେବେ ଫେରେ ନାହିଁ। ତେଣୁ କୌଳିକ ବୃତ୍ତିକୁ ଆପଣେଇଥିବା ଯୋଗୁ ତାଙ୍କ ପରିବାରର ପେଟ କେବେ ଅପୋଷା ରହୁ ନ ଥିବା କହନ୍ତି ଜଗବନ୍ଧୁ ଜେନା।
ଜଗବନ୍ଧୁ କୁହନ୍ତି ପରିବାରରେ ଆର୍ଥିକ ଅସ୍ବଚ୍ଛଳତା କାରଣରୁ ସେ ଆଦୌ ପାଠ ପଢ଼ି ପାରିନାହାନ୍ତି। ୧୦ବର୍ଷ ବୟସରୁ ସେ ନିଜ ବାପାଙ୍କ ନିକଟରୁ ବାଉଁଶ ସାମଗ୍ରୀ ତିଆରି କରିବା ଶିକ୍ଷା ଆରମ୍ଭ କରିଥିଲେ। ସେ ମାସକୁ ଏଥିରୁ ୧୫ରୁ ୨୦ହଜାର ଟଙ୍କା ଆୟ କରୁଛନ୍ତି। ସ୍ତ୍ରୀ ଚୁମୁକିଙ୍କ ସହିତ ଦୁଇ ଝିଅ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ସଂସାର। ଚାଷଜମି ଆଦୌ ନ ଥିବାରୁ କୌଳିକ ବୃତ୍ତିକୁ ଆପଣେଇ ସେ ପରିବାର ପୋଷଣ କରୁଛନ୍ତି। ତାଙ୍କର ଅନ୍ୟ ୬ ଭଉଣୀ ଭାଇଙ୍କ ମଧ୍ୟରୁ ୩ଜଣ ମଧ୍ୟ ଏହି ବୃତ୍ତିକୁ ଅପଣେଇ ଥିବା ସେ କୁହନ୍ତି।
ବାଉଁଶ ସାମଗ୍ରୀ ତିଆରି ପାଇଁ ବାଡ଼ିଆ କିସମର ବାଉଁଶ ହିଁ ଆବଶ୍ୟକ ପଡ଼ିଥାଏ। ଗାଁରୁ ସେ ଗୋଟା ବାଉଁଶ ପ୍ରତି ୪୦ରୁ ୫୦ଟଙ୍କା ଦରରେ କିଣି ଥାଆନ୍ତି। ଏଥିରୁ ପ୍ରସ୍ତୁତି କୁଲା ୭୦, ବୋଝ ୨ଶହ, ଝୁଡି ୨ଶହ, ନଳିଆ ୫୦, ଖଇଚଲା ୧୫୦ଟଙ୍କାରେ ବିକ୍ରି କରିଥାଆନ୍ତି। ବେପାରି ନେଲେ ୨ ଟଙ୍କା କମ୍‌ ଦେଇଥାଆନ୍ତି। ଏହି ବୃତ୍ତି ପାଇଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ। ତେବେ ଏହି ବୃତ୍ତିକୁ କୁଟୀରଶିଳ୍ପ ରୂପେ ଗ୍ରହଣ କରି ଜଣେ ଯୁବତୀ ଯୁବକ ଆମତ୍ନିର୍ଭରଶୀଳ ହୋଇପାରିବେ ବୋଲି ଜଗବନ୍ଧୁ କୁହନ୍ତି।

(ସନ୍ତୋଷ କୁମାର ନାୟକ)