Categories: ଜାତୀୟ

ରାହୁଲ ଜିନ୍ନା ଅଧିକ ଯୁକ୍ତିଯୁକ୍ତ: ଭାଜପା

ନୂଆଦିଲ୍ଲୀ,୧୫ା୧୨(ପି.ଟି.): ଭାରତ ବଚାଓ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜକୁ ସଭରକର ନୁହେଁ, ଗାନ୍ଧୀ ବୋଲି କହିଥିବାରୁ ଏହାକୁ ନେଇ ଭାଜପା ଓ ଶିବସେନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁସଲମାନ ତୁଷ୍ଟୀକରଣ ରାଜନୀତି କରୁଥିବା କଂଗ୍ରେସ ନେତାଙ୍କ ନାଁ ରାହୁଲ ଜିନ୍ନା ଅଧିକ ଯୁକ୍ତିଯୁକ୍ତ ହେବ ବୋଲି ଭାଜପା ମୁଖପାତ୍ର ଜି.ଭି.ଏଲ୍‌. ନରସିଂହ ରାଓ କହିଛନ୍ତି। ସଭରକର ଦେଶଭକ୍ତି, ସାହସ ଓ ବଳିଦାନର ପ୍ରତୀକ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କଦାପି ରାହୁଲ ସଭରକର ହୋଇପାରିବେ ନାହିଁ ବୋଲି ଭାଜପା ନେତା ସମ୍ବିତ୍‌ ପାତ୍ର କହିଛନ୍ତି। ଏପରିକି ମହାରାଷ୍ଟ୍ର ସରକାରରେ କଂଗ୍ରେସର ସହଯୋଗୀ ଥିବା ଶିବସେନା ମଧ୍ୟ ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛି। ହିନ୍ଦୁତ୍ୱ ନୀତି ଆଦର୍ଶ ସହ ସାଲିସ କରାଯାଇପାରିବ ନାହିଁ। ବୀର ସଭରକର କେବଳ ମହାରାଷ୍ଟ୍ରର ନୁହନ୍ତି ଦେଶର ପୂଜ୍ୟ। ଏହି ନାଁ ଦେଶକୁ ଗର୍ବ ଆଣିଦେଇଥାଏ। ନେହେରୁ ଓ ଗାନ୍ଧୀଙ୍କ ଭଳି ସଭରକର ଦେଶ ପାଇଁ ବଳିଦାନ ଦେଇଥିଲେ। ସଭରକରଙ୍କ ସହ କାହାକୁ ତୁଳନା କରାଯାଇପାରିବ ନାହିଁ ବୋଲି ଶିବସେନା ନେତା ସଞ୍ଜୟ ରାଉତ୍‌ କହିଛନ୍ତି।
ଭାଜପା ପାଇଁ ବୀର ସଭରକର ହେଉଛନ୍ତି ହିନ୍ଦୁତ୍ୱ ଆଇକନ୍‌। ତେବେ ଭାରତ ଉପନିବେଶ ଶାସନରେ ଥିବାବେଳେ ଜେଲରୁ ମୁକ୍ତ ହେବା ପାଇଁ ସେ ବ୍ରିଟିଶ ସରକାରଙ୍କୁ କ୍ଷମା ମାଗିଥିଲେ ବୋଲି ବିରୋଧୀ ଅଭିଯୋଗ କରିଥାନ୍ତି। ମୁସଲମାନ ତୁଷ୍ଟୀକରଣ କଂଗ୍ରେସର ନୀତି ହୋଇଥିବାରୁ ସଭରକରଙ୍କ ବଦଳରେ ରାହୁଲ ମହମ୍ମଦ ଅଲି ଜିନ୍ନାଙ୍କ ନାଁ ନେବା ତାଙ୍କୁ ଅଧିକ ଲିଗାସୀ ଯୋଗ୍ୟ କରିପାରିବ। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ସଭରକର ହୋଇପାରିବେ ନାହିଁ କହିଥିବା ଠିକ୍‌ ବୋଲି ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ କହିଛନ୍ତି। ବୀର ସଭରକର ଜାତୀୟ ଆଇକନ, ଯାହାଙ୍କର ଭାରତୀୟ ରାଜନୀତିରେ ସଭ୍ୟତାଗତ ପ୍ରଭାବ ରହିଥିଲା, ଯେଉଁଥିପାଇଁ ବହୁପିଢ଼ି ଧରି ତାଙ୍କ ପ୍ରତି ଶ୍ରଦ୍ଧା ରହିଛି। ନେହେରୁ-ଗାନ୍ଧୀ ପରିବାରର ପଞ୍ଚମ ପିଢ଼ି ସେହି ଲିଗାସୀକୁ ମାପି ପାରିବେ ନାହିଁ ବୋଲି ମାଲବ୍ୟ ମତ ଦେଇଛନ୍ତି। ବୀର ସଭରକର ଜଣେ ଦେଶଭକ୍ତ। ତାଙ୍କ ସଂଜ୍ଞା ନେଇ ଜଣେ ଗାନ୍ଧୀ କିମ୍ବା ଦେଶଭକ୍ତ ହୋଇପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି।

Share